ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ଆକାଶମାର୍ଗରୁ ବାତ୍ୟା ‘ୟାସ’ ଜନିତ କ୍ଷୟକ୍ଷତି ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ସେ ହେଲିକପ୍ଟରରେ ସ୍ଥିତି ପରଖିଛନ୍ତି । ଆଜି ସଂଧ୍ୟା ସାଢେ଼ ୫ଟାରେ ମୁଖ୍ୟମନ୍ତ୍ରୀ ବାତ୍ୟା ସ୍ଥିତି ନେଇ ସମୀକ୍ଷା କରିବେ । ସମୀକ୍ଷା ପରେ ବାତ୍ୟା ପ୍ୟାକେଜ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ପରବର୍ତୀ ସମୀକ୍ଷା କରିବା ସହ ତୁରନ୍ତ ୭ ଦିନ ରିଲିଫ ଯୋଗାଣ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଅପରପକ୍ଷରେ ବାତ୍ୟା କ୍ଷୟକ୍ଷତି ଆକଳନ କରାଯାଉଥିବାବେଳେ ଏହାପରେ ଅନ୍ୟ ସହାୟତା ଘୋଷଣା କରାଯିବ ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିବେ । ବାତ୍ୟା ‘ୟାସ’ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ ସେ ସମୀକ୍ଷା କରିବେ ବୋଲି ଜାଣିବାକୁ ମିଳିଛି ।
ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟାର କ୍ଷୟକ୍ଷତି ଆକଳନ କରିବେ । ପ୍ରଥମେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଁଚି ବାତ୍ୟା ସଂକ୍ରାନ୍ତରେ ସମୀକ୍ଷା କରିବେ । ପରେ ବାଲେଶ୍ୱର ଓ ଭଦ୍ରକ ଅଂଚଳର ପ୍ରଭାବିତ ଅଂଚଳକୁ ସେ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ବାଲେଶ୍ୱର ଓ ଭଦ୍ରକର କ୍ଷୟକ୍ଷତି ଦେଖିବା ପରେ ପୂର୍ବ ମେଦିନୀପୁର ଅଂଚଳର ବି କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ । ସେହିପରି ପଶ୍ଚିମବଙ୍ଗ ପ୍ରଶାସନ ସହ ସେ ମଧ୍ୟ ସମୀକ୍ଷା ବୈଠକ କରିବେ ବୋଲି ଜାଣିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି । କାହିଁକିନା ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଏନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ । ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ପ୍ରାକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ଜାଣିବାକୁ ମିଳିଛି ।
Powered by Froala Editor