ଜାଲିକାଟୁ ଖେଳକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ
ତାମିଲନାଡୁର ପାରମ୍ପରିକ ଜାଲିକାଟୁ ଖେଳକୁ ମିଳିଛି ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ । ଜଲିକାଟ୍ଟୁଙ୍କୁ ଏକ ଖେଳ ଭାବରେ ସ୍ବୀକୃତି ଦେଇଥିବା ତାମିଲନାଡୁ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଅଦାଲତ ଦର୍ଶାଇଛନ୍ତି ତାମିଲନାଡୁ କ୍ରୁଏଲିଟି ଟୁ ଆନିମଲ୍ସ ଆକ୍ଟ (ସଂଶୋଧନ), ୨୦୧୭ ଅନୁଯାୟୀ ପ୍ରାଣୀମାନଙ୍କ ଉପରେ ହେଉଥିବା ନିର୍ଯାତନା ଏବଂ ଯନ୍ତ୍ରଣାକୁ ବହୁ ମାତ୍ରା କମ କରୁଛି। ଏହି ଆଇନ ଅନୁଯାୟୀ ଜଲିକାଟ୍ଟୁର ଆଇନଗତ ବୈଧତା କାଏମ ରଖାଯାଇଛି।
ଜାଲିକାଟୁ ଖେଳ ସଂକ୍ରାନ୍ତ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ସବୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜାଲିକାଟୁ ଖେଳରେ ପଶୁମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରାଯାଉଥିବା ଦର୍ଶାଇ ଏହାକୁ ବ୍ୟାନ୍ କରିବାକୁ ଦାବି ହୋଇଥିଲା । ଜାଲିକାଟୁ ଖେଳ ରାଜ୍ୟର ସାଂସ୍କୃତିକ ଐତିହ୍ୟର ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟରେ ଯୁକ୍ତି କରିଥିଲେ ତାମିଲନାଡୁ ସରକାର। । ଏହି ଆଇନକୁ ବଜାୟ ରଖିବା ପାଇଁ ରାୟ ପ୍ରକାଶ କଲାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜାଲିକାଟୁ ଖେଳ ପରମ୍ପରା ବହୁ ଶତାବ୍ଦୀ ଧରି ଚାଲିଆସୁଛି। ଏନେଇ ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ତେଣୁ ଏବେ ଏଥିରେ ହସ୍ତକ୍ଷେପ କରିବା ଠିକ୍ ହେବନି। ତାମିଲନାଡୁ ସରକାରଙ୍କ ଆଇନରେ କୌଣସି ତ୍ରୁଟି ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ବୈଧ ।
କେବଳ ତାମିଲନାଡୁ ନୁହେଁ, ଅଦାଲତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ୟ ହେବାକୁ ଥିବା ଏହି ଭଳି ଖେଳ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ଶଗଡ଼ ଦୌଡ଼ ଏବଂ କର୍ଣ୍ଣାଟକର କାମ୍ବାଲା ଖେଳ ବିରୋଧରେ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଏହି ତିନୋଟି ଖେଳ ଆଇନଗତ ବୈଧ ଏବଂ ଏଥିରେ ପ୍ରାଣୀମାନଙ୍କର ସୁରକ୍ଷା ସୁନିଶ୍ଚିତ କରାଯାଇଛି।
Powered by Froala Editor