ଦ୍ୱିତୀୟ ପତ୍ନୀକୁ ସୁପାରୀ ଦେଇ ମାରିଦେଲେ ୭୧ ବୟସ୍କ ସ୍ୱାମୀ
ଏକ ଲୋମଟାଙ୍କୁରା ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଜଣେ ୭୧ ବୟସ୍କ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସୁପାରୀ ଦେଇ ମାରିଦେଇଛି । ପୁଲିସ୍ ସୂଚନା ଅନୁଯାୟୀ, ଦିଲ୍ଲୀର ରାଜୌରି ଗାର୍ଡେନର ବାସିନ୍ଦା ହେଉଛନ୍ତି ଏସ.କେ ଗୁପ୍ତା (୭୧) । ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇ ସାରିଥିଲା। ଏଥିସହ ତାଙ୍କର ୪୫ ବର୍ଷୀୟ ଜଣେ ପୁଅ ଥିଲେ ବି ସେ ଦୁରାରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ତେଣୁ ପୁଅର ଦେଖାରଖା ପାଇଁ ସେ ବିବାହ କରିଥିଲେ। ମାତ୍ର ତାଙ୍କର ନୂଆ ପତ୍ନୀ ନିଜ ସାବତ ପୁଅର ଠିକ୍ ଭାବେ ଦେଖାରଖା କରୁ ନ ଥିଲେ। ଫଳରେ ବୃଦ୍ଧଙ୍କର ତାଙ୍କର ପତ୍ନୀଙ୍କ ସହ ପଡ଼ୁ ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ମହିଳା ଜଣକ ବିବାହର ୬ ମାସ ପରେ ଆଉ ତାଙ୍କ ପାଖରେ ରହିବେ ନାହିଁ ବୋଲି କହିଥିଲେ । ଉଭୟଙ୍କ ମଧ୍ୟରେ ତାଳମେଳ ଠିକ୍ ନ ରହିବାରୁ ପତ୍ନୀଜଣକ ଛାଡ଼ପତ୍ର ଚାହିଁଲେ । ହେଲେ ଏଥିନିମନ୍ତେ ସେ ଦାବି କରୁଥିବା ଅର୍ଥ ରାଶି କଥା ଶୁଣି ହିତାହିତ ଜ୍ଞାନ ହରାଇ ବସିଥିବା ବୃଦ୍ଧଜଣକ ସୁପାରୀ କିଲର ଲଗାଇ ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି ।
ସେ ଜଣେ ସୁପାରୀ କିଲର ବିପିନ ସେଟ୍ଟିକୁ ଠିକ୍ କରିଥିବା ବେଳେ ୧୦ ଲକ୍ଷରେ ଡିଲ୍ ଫାଇନାଲ୍ ହୋଇଥିଲା। ଏହାପରେ ବିପିନ ନିଜ ସହଯୋଗୀ ହିମାଂଶୁଙ୍କ ସହ ମିଶି ମହିଳାଙ୍କୁ ହତ୍ୟା କରିଥିବା ବେଳେ ଏହାକୁ ଲୁଟ୍ର ରୂପ ଦେବାକୁ ଚେଷ୍ଟା କରିଥିଲେ। ଏଥିନିମନ୍ତେ ସେ ସବୁ ଜିନିଷ ଘରେ ଛିନଛତ୍ର କରି ପକାଇଥିବା ବେଳେ ଟଙ୍କା, ସୁନା ନେଇ ଯାଇଥିଲେ।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଉଭୟ ବାପପୁଅଙ୍କୁ ପଚରାପଚରି କରିବାରୁ ସେମାନେ ସବୁ ସତ କଥା ମାନି ଯାଇଥିଲେ।
Powered by Froala Editor