ନାହିଁ ପିଆଜ ସଂରକ୍ଷଣ ବ୍ୟବସ୍ଥା, ଶସ୍ତା ଦରରେ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି ଚାଷୀ
ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ବଙ୍ଗୋମୁଣ୍ଡା ବ୍ଲକ୍ ଅଞ୍ଚଳରେ ଏବେ ପିଆଜର ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅତି ଶସ୍ତା ଦରରେ ବେପାରୀମାନଙ୍କ ହାତକୁ ପିଆଜ ଟେକି ଦେଉଛନ୍ତି। ସୂଚନା ଅନୁସାରେ, ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ୍ ଅଞ୍ଚଳରେ ପ୍ରତିବର୍ଷ ପ୍ରଚୁର ପରିମାଣରେ ପିଆଜ ଚାଷ ହେଉଛି। ଏଠିକାର ପିଆଜର ସ୍ବତନ୍ତ୍ର ଚାହିଦା ବି ରହିଛି। ତେଣୁ ବଙ୍ଗୋମୁଣ୍ଡା ବ୍ଲକ୍କୁ ଓଡ଼ିଶାର ନାସିକ ବୋଲି ବି କେହି କେହି କହନ୍ତି। ତେବେ, ବ୍ଲକ୍ରେ ପିଆଜ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇ ନାହିଁ।
ସରକାରୀ ସ୍ତରରେ ଉଦ୍ୟମ କେବଳ କାଗଜକଲମରେ ସୀମିତ ରହିଥିବା ଚାଷୀ ଅଭିଯୋଗ କରିଛନ୍ତି। ସେଇଥିପାଇଁ ଏବେ ପିଆଜ ଅମଳ ସମୟରେ କେଜି ପ୍ରତି ମାତ୍ର ୫ରୁ ୬ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ପିଆଜ ଅମଳ ସମୟ ସରିଯିବା ପରେ ପିଆଜର ଦର ହୁ ହୁ ହୋଇ ବଢ଼ି ଚାଲିବ। ସେହି ଚାଷୀ ତାର ଉତ୍ପାଦିତ ପିଆଜ କିଣିବାକୁ ହେଲେ କେଜି ପ୍ରତି ୫୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ିବ। ଏବେ ପିଆଜ ଅମଳ କରି ଚାଷୀ ଆଖିରୁ ଲୁହ ଗଡ଼ାଉଥିବା ବେଳେ ଆଗକୁ ଦର ବଢ଼ିଲେ ଖାଉଟିଙ୍କ ଆଖିରୁ ଲୁହ ଗଡ଼ିବ।
ପ୍ରକାଶଥାଉକି, କିଛିବର୍ଷ ତଳେ ଓଡ଼ିଶାର ପାଲଲହଡ଼ା ଓ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ରେ ନାଫେଡ ତରଫରୁ ଗୋଟିଏ ଲେଖାଏଁ ପିଆଜ ଗୋଦାମ ପାଇଁ ଅନୁମତି ମିଳିଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା କେବଳ ଅନୁମତିରେ ହିଁ ସୀମିତ ରହିଛି। ଏ ବିଷୟରେ ବଙ୍ଗୋମୁଣ୍ଡା ଉଦ୍ୟାନ କୃଷି ଅଧିକାରୀ ସୁନୀଲ ମାଝିଙ୍କ କହିବା ହେଲା, ନାଫେଡ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କାମ ହୋଇନାହିଁ। ହେଲେ ସିନ୍ଧେକେଲା ଆର୍ଏମ୍ସିରେ ୨ ଶହ ୫୦ ମେଟ୍ରିକ ଟନ୍ ପିଆଜ ସଂରକ୍ଷଣ ପାଇଁ ଏକ ପିଆଜଘର ହୋଇସାରିଛି। ସେହିପରି ବଙ୍ଗୋମୁଣ୍ଡାରେ କାମ ଚାଲିଛି। ସିନ୍ଧେକେଲାରେ ନାବାର୍ଡ ସହାୟତାରେ ଏକ ଫାର୍ମର ପ୍ରଡ୍ୟୁସର କମ୍ପାନି କାମକରୁଛି ଯାହାକି ଗ୍ରୁପ୍ ଅଫ୍ ଫାର୍ମର୍ସ କରି ଯେତେ ବି ସଦସ୍ୟ କିମ୍ବା ଅଣ ସଦସ୍ୟ ଯୋଡ଼ି ହୋଇଥିବେ ତାଙ୍କଠାରୁ ପିଆଜ ଆଣିବ ଓ ମାର୍କେଟ ଲିଙ୍କେଜ୍ ବ୍ୟବସ୍ଥା କରିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ହୋଇ ପାରିନାହିଁ। ଖୁବ୍ଶୀଘ୍ର ଏହା ହେବ ବୋଲି ସେ ସୂଚନା ଦେଇଛନ୍ତି।
Powered by Froala Editor