ଆଜି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ, ୯ରେ ଅବପାତରେ ପରିଣତ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ ରୂପ ନେବ । ୯ରେ ଅବପାତରେ ପରିଣତ ହେବ । ଆଗକୁ ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବା ସହ ଉତ୍ତର ମୁହାଁ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ହେଲେ ସମ୍ଭାବ୍ୟ ବାତ୍ୟାର ରୂପରେଖ ଓ ତୀବ୍ରତାକୁ ନେଇ କୌଣସି ସୂଚନା ଦେଇନି । ଲଘୁଚାପ ସୃଷ୍ଟି ଓ ଏହା ଅବପାତ ହେବାର ସମ୍ଭାବନାକୁ ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଆକଳନ କରୁଛନ୍ତି ।
ଆଇଏମ୍ଡି ଜିଏଫ୍ଏସ ମଡେଲ ଅନୁସାରେ ୮ ତାରିଖରେ ଏହା ଅବପାତ ରୂପ ନେବ । କିନ୍ତୁ ଏନ୍ସିଇପି ଜିଏଫଏସ୍ ମଡେଲ ମୁତାବକ ଏହା ୯ରେ ଅବପାତ ହେବ । ଇସିଏମଡବ୍ଲୁଏଫ୍ ଅନୁସାରେ ଅବପାତ ହେବା ବେଳକୁ ୧୧ ତାରିଖ ହୋଇଯିବ । ତେବେ ଅଧିକାଂଶ ମଡେଲ ଅନୁସାରେ ମିଆଁମାରରେ ବାତ୍ୟା ମୋଚା ଲ୍ୟାଣ୍ଡଫଲ କରିବ । ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଏଥିରୁ ବର୍ତ୍ତିଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
Powered by Froala Editor