କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିବାରୁ ଉଠାଇନେଲା ପୁଲିସ : ଗୀତା ଫୋଗଟ

ଡବ୍ଲୁଏଫ୍ଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଏବଂ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ଏନେଇ ତାଙ୍କ ମନୋବଳ ବଢ଼ାଇବାକୁ ଯାଉଥିବା ବେଳେ ଗୀତା ଫୋଗାଟଙ୍କୁ ହେପାଜତକୁ ନେଇଛି ପୁଲିସ। ‘ମୋତେ ଓ ମୋ ସ୍ୱାମୀ ପବନ ସରୋହାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ବହୁତ ଦୁଃଖଦ ଘଟଣା।’ ଏନେଇ ଗୀତା ଟ୍ବିଟ କରି ଜଣାଇଛନ୍ତି।
ଦିଲ୍ଲୀର ଯନ୍ତର ମନ୍ତରରେ ରେସଲରଙ୍କ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏମିତି ଏକ ଟ୍ୱିଟ କରିଥିଲେ ରେସଲର ଗୀତା ଫୋଗଟ। ତେବେ ପୁଲିସ ତାଙ୍କ କଥାକୁ ଖଣ୍ଡନ କରିଛି। ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ଗିରଫ କରାଯାଇ ନାହିଁ। ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଅଟକ ରଖାଯାଇଛି।
ଭାରତୀୟ ରେସଲିଂ ସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବାକୁ ଦାବି କରି ଅନେକ ରେସଲର ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନରେ ବସିଛନ୍ତି। ସେମାନେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ଆଜି ଅପରାହ୍ଣରେ ଗୀତା ଫୋଗଟ ଓ ତାଙ୍କ ସ୍ୱାମୀ ଆନ୍ଦୋଳନରତ ରେସଲରଙ୍କୁ ଭେଟିବାକୁ ଯନ୍ତର ମନ୍ତର ଅଭିମୁଖେ ଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ନିଜ ହେପାଜତକୁ ନେଇଥିଲା।
Powered by Froala Editor