୮ଟି ବାତ୍ୟାରେ ଓଡିଶା ସହିଛି ୩୨ ହଜାର କୋଟିର କ୍ଷତି
ନୂଆଦିଲ୍ଲୀ : ବାତ୍ୟା ‘ୟାସ୍’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗର ଆକଳନରୁ ଜଣାପଡିଛି । ବାତ୍ୟା ଅପସରିଯିବା ପରେ କ୍ଷୟକ୍ଷତିର ପରିମାଣ ସଂପର୍କରେ ସୂଚନା ହାସଲ କରାଯାଇପାରିବ । ତେବେ, ବାତ୍ୟା ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ । ଉଲ୍ଲେଖଯୋଗ୍ୟ, ୮ଟି ବାତ୍ୟାରେ ଓଡ଼ିଶାକୁ ୩୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।
ସରକାରଙ୍କ ତଥ୍ୟ ଅନୁସାରେ, ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି । ୨୦୧୩ ମସିହାରେ ଫାଇଲିନ୍ ଆସିଥିଲାବେଳେ ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲବୁଲ୍ ଏବଂ ୨୦୨୦ରେ ବାତ୍ୟା ଅମ୍ଫାନ୍ ରାଜ୍ୟ ପାଇଁ ବିପର୍ଯ୍ୟୟ ଆଣିଥିଲା । ଏହି ୮ଟି ବାତ୍ୟାରେ ୧୬୦ ଜଣ ପ୍ରାଣ ହରାଇଥିଲା ବେଳେ ପ୍ରାୟ ୩୧ ହଜାର ୯୪୫ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ସରକାରୀ ସ୍ତରରେ ଆକଳନ କରାଯାଇଛି । ଏ ସବୁ ବାତ୍ୟାରେ ରିଲିଫ୍ ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯ ହଜାର ୪୮୦ କୋଟି ଟଙ୍କାର ସହାୟତା ଲୋଡ଼ାଯାଇଥିଲା । ତେବେ, ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ କେନ୍ଦ୍ର ସରକାର ୫୨୮୫ କୋଟି ଟଙ୍କା ପ୍ରଦାନ କରିଥିଲେ ।
Powered by Froala Editor