ଫେରିଲା କଟକଣା, ମାସ୍କ ପରିଧାନ ଜରୁରୀ
ଭୁବନେଶ୍ବର : ରାଜ୍ୟରେ ଦୀର୍ଘଦିନର ବ୍ୟବଧାନ ପରେ ପୁଣିଥରେ ମାସ୍କ କଟକଣା ଫେରିଛି। କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ସୋମବାର ଦିନ ଏ ସଂକ୍ରାନ୍ତରେ ସବୁ ସିଡିଏମ୍ଓ ଓ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଦେଶ ତଥା ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଛି। କୋଭିଡ ନିୟମାବଳୀ ଅନୁପାଳନ ପାଇଁ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ମାସ୍କ ପରିଧାନ କରିବା ଜରୁରୀ ହୋଇପଡ଼ିଛି। ତେଣୁ ଡ୍ୟୁଟି ସମୟରେ ସବୁ ସ୍ବାସ୍ଥ୍ୟକର୍ମୀ ମାସ୍କ ପିନ୍ଧିବେ। ଏହାସହ ବୈଠକରେ ଥିବା ଅଧିକାରୀ, ଘର ଭିତରେ ଲୋକଙ୍କ ଗହଳି ସମୟରେ, କ୍ଲିନିକାଲ/ଲାବୋରେଟାରି ଓ ଅନ୍ୟ ସେବା ଯୋଗାଉଥିବା କର୍ମଚାରୀ, ଉଚ୍ଚ ସଂକ୍ରମଣ ଆଶଙ୍କା ଥିବା ସ୍ଥାନର ପରିଦର୍ଶନ ଓ ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା ବ୍ୟକ୍ତି ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।
ଅପରପକ୍ଷରେ ରାଜ୍ୟରେ କରୋନା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩ହଜାର ଟପିଛି। ଚଳିତମାସରେ ଲଗାତାର ଭାବେ ଦୈନିକ ସଂକ୍ରମଣ ୩ଶହ ଉପରେ ଜାରି ରହିବା ପଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଓଡ଼ିଶା ନବମ ସ୍ଥାନରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୮୨ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ରେ ସର୍ବାଧିକ ୧୫୮, ସମ୍ବଲପୁର ୬୫, ନୂଆପଡ଼ା ୨୧, କଟକ ୧୬, କଳାହାଣ୍ଡି-ନବରଙ୍ଗପୁର ୧୫ ଲେଖାଏ, ବରଗଡ଼-ଖୋର୍ଧାରେ ୧୪ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ରୋଗୀଙ୍କ ସଂଖ୍ୟା ୩୦୩୨କୁ ବୃଦ୍ଧି ପାଇଛି। ଆଉ ୨୭୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ସଂକ୍ରମଣ ପୂର୍ବଭଳି ଜାରି ରହିଛି।
Powered by Froala Editor