‘ୟୁଟ୍ୟୁବ୍’ ବିରୋଧରେ ପିଟିସନ ଦାୟର କଲେ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା
ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଛି। ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ ତଥା ଅମିତାଭଙ୍କ ୧୧ ବର୍ଷୀୟ ନାତୁଣୀ ଆରାଧ୍ୟାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଗୋଟାଏ ‘ୟୁଟ୍ୟୁବ୍’ ଟାବ୍ଲଏଡ୍ ବା ଚାନେଲ୍ ‘ମିଥ୍ୟା ସମ୍ବାଦ’ ରିପୋର୍ଟ କରିଥିଲା। ଏହାକୁ ବିରୋଧ କରି ବୁଧବାର ଦିନ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଫାଇଲ୍ କରିଥିଲେ। ଅଭିଯୋଗ ଆଣି ୧୧ ବର୍ଷୀୟା ଆରାଧ୍ୟା କୋର୍ଟଙ୍କ ଦ୍ୱାରସ୍ଥ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓ ସେୟାରିଙ୍ଗ୍ ପ୍ଲାଟ୍ଫର୍ମ ‘ୟୁଟ୍ୟୁବ୍’କୁ ମିଥ୍ୟା ସମ୍ବାଦ ପ୍ରସାରଣରୁ ନିବୃତ ହେବାକୁ ନିର୍ଦେଶ ଦେଇ ହାଇକୋର୍ଟ କହିଛନ୍ତି ଯେ, ଏଭଳି ବିଭ୍ରାନ୍ତିକର ବିଷୟବସ୍ତୁ ଥିବା ଭିଡିଓ ପୋଷ୍ଟିଙ୍ଗ୍ ନ ହୋଇ ପାରିବା ବିଷୟରେ ସୁନିଶ୍ଚିତ ହେବାକୁ ସେମାନଙ୍କର କୌଣସି ନୀତି ନାହିଁ କି? ବ୍ୟବହାରକାରୀମାନଙ୍କୁ ‘ପ୍ଲାଟ୍ଫର୍ମ’ ଯୋଗାଇ ଦିଆଯାଇଛି ଏବଂ ସେଠାରେ କ’ଣ ପୋଷ୍ଟିଙ୍ଗ୍ ହେଲା ସେଥିପାଇଁ ‘ୟୁଟ୍ୟୁବ୍’ ଉତ୍ତରଦାୟୀ ନୁହେଁ କହିଲେ ଚଳିବ ନାହିଁ। ‘ୟୁଟ୍ୟୁବ୍’ ଭିଡିଓ ଉପରେ ଆପତ୍ତି କରି ଅଦାଲତ କହିଛନ୍ତି ଯେ, ସମ୍ମାନ ଓ ମର୍ଯ୍ୟାଦାର ସହିତ ବଞ୍ଚିବା ପାଇଁ ସବୁ ପିଲାଙ୍କର ଅଧିକାର ଅଛି। ଏଭଳି ମିଥ୍ୟା ସମ୍ବାଦ ହଟାଇବା ‘ପ୍ଲାଟ୍ଫର୍ମ’ର ଦାୟିତ୍ବ।
ବଚ୍ଚନ ପରିବାର ପକ୍ଷରୁ ଦାୟର ହୋଇଥିବା ପିଟିସନରେ କୁହାଯାଇଛି ଯେ, ଆରାଧ୍ୟା ଏବେ ବହୁତ ଛୋଟ ଓ ତାଙ୍କ ପାଇଁ ଏଭଳି ଫେକ୍ ନ୍ୟୁଜ୍ ଚିନ୍ତାର କାରଣ। ଏହି ଖବରରେ ଆରାଧ୍ୟାଙ୍କ ଲାଇଫ୍ ଷ୍ଟାଇଲ୍ ଓ ସ୍ୱାସ୍ଥ୍ୟକୁ ନେଇ ଭୁଲ୍ ତଥ୍ୟ ଦିଆଯାଇଥିଲା। ଯାହାକୁ ନେଇ ବଚ୍ଚନ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Powered by Froala Editor