ଅନ୍ଧବିଶ୍ୱାସ : ମୁକ୍ତି ପାଇଁ ଆତ୍ମବଳି ଦେଲେ ଦମ୍ପତି

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଜରାଟର ଜଣେ ଦମ୍ପତି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଆତ୍ମବଳି ଦେଇଛନ୍ତି। ଗୁଜରାଟର ରାଜକୋଟ ଅନ୍ତର୍ଗତ ବିଞ୍ଚିୟା ଗାଁରୁ ଏପରି ଖବର ସାମ୍ନାକୁ ଆସିଛି। ୩୮ ବର୍ଷୀୟ ଚାଷୀ ହେମୁଭାଇ ମାକୱାନା ଓ ତାଙ୍କ ପତ୍ନୀ ୩୫ ବର୍ଷୀୟ ହଂସା ମାକୱାନା ମିଳିତ ଭାବେ ଆତ୍ମବଳି ଦେଇଛନ୍ତି। ସେମାନେ ଆତ୍ମବଳି ଦେବା ପାଇଁ ଗିଲୋଟିନ ବା ମୁଣ୍ଡରୁ ଗଣ୍ଡିକୁ ଅଲଗା କରୁଥିବା ଧାରୁଆ ଅସ୍ତ୍ର ତିଆରି କରିଥିଲେ। ଏହାପରେ ସେଠାରେ ନିଜର ବେକ ଦେଖାଇ ଆତ୍ମବଳି ଦେଇଥିଲେ। ପୁଲିସ୍ ଠାବ କରିଥିବା ସୁଇସାଇଡ ନୋଟରେ ଦୁଇ ଜଣଙ୍କ ଆଙ୍ଗୁଳି ଚିହ୍ନ ରହିଛି। ଏଥିରେ ସେମାନଙ୍କ ଆତ୍ମବଳି ପାଇଁ କାହାକୁ ଦାୟୀ ନ କରିବାକୁ କୁହାଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗିଲୋଟିନକୁ ସେମାନେ ଏମିତି ଏକ ସ୍ଥାନରେ ରଖିଥିଲେ ଯେ ଗଣ୍ଡିରୁ ମୁଣ୍ଡି ଅଲଗା ହେବା ପରେ ସିଧା ଜଳୁଥିବା ନିଆଁରେ ହିଁ ପଡ଼ିଥିଲା। ମୁକ୍ତି ପାଇବା ପାଇଁ ସେମାନେ ଏପରି କରିଥିବା ଜଣାପଡ଼ିଛି। ଭୟଙ୍କ ମୁଣ୍ଡ ବିହୀନ ମୃତଦେହ ସେମାନଙ୍କ ଫାର୍ମରୁ ମିଳିଛି। ଏହି ଦମ୍ପତିଙ୍କ ୧୩ ବର୍ଷର ପୁଅ ଓ ୧୨ ବର୍ଷର ଝିଅ ରହିଛନ୍ତି। ପିଲାମାନେ ଦିନକ ତଳେ ମାମୁ ଘରକୁ ଯାଇଥିଲେ। ରବିବାର ସେମାନେ ଘରକୁ ଫେରିବା ପରେ ପୂରା ଘଟଣା ବିଷୟରେ ଜାଣି ସମ୍ପର୍କୀୟଙ୍କ ଜରିଆରେ ପୁଲିସ୍କୁ ଖବର ଦେଇଥିଲେ।
ସୁଇସାଇଡ ନୋଟରେ ହେମୁ ଭାଇ କହିଛନ୍ତି, ସେ ତାଙ୍କ ଭାଇମାନଙ୍କ ଉପରେ ଭରସା କରନ୍ତି ଓ ଶ୍ୱଶୁର ଘର ଲୋକ ତାଙ୍କୁ କେବେ ବି କୌଣସି ପ୍ରସଙ୍ଗରେ ବିରୋଧ କରି ନାହାନ୍ତି। ସେମାନଙ୍କ ଦୁଇ ପିଲାଙ୍କ ଦାୟିତ୍ୱ ସମସ୍ତେ ବୁଝିବେ ।
Powered by Froala Editor