ଟ୍ରକ୍-ପିକ୍ଅପ୍ ଭ୍ୟାନ ଧକ୍କା ; ୩ ମୃତ

ଭୁବନେଶ୍ୱର: ଚଣ୍ଡିଖୋଲ - ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଚାରିନଙ୍ଗଳଠାରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଏକ ପିକ୍ଅପ୍ ପଛରୁ ପିଟିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୨ ମହିଳା ଥିବା ଜଣାଯାଇଛି।
ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ରେ ୭ ଜଣ ଶୁଖୁଆ ବେପାରୀ ପାରାଦୀପ ଅଭିମୁଖେ ଯାଉଥିଲେ। ଉକ୍ତ ଭ୍ୟାନ୍ ଆଗରେ ଡ୍ରାଇଭର ଓ ହେଲପର ଥିବା ବେଳେ ମହିଳା ଓ ପୁରୁଷ ଶୁଖୁଆ ବେପାରୀ ଗାଡ଼ି ଡାଲାରେ ବସିଥିଲେ। ଗାଡ଼ିଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିଲା। ପିକ୍ଅପ୍ ଭ୍ୟାନଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ପଛ ପଟେ ପିଟି ହୋଇ ଯାଇଥିଲା।
ଏହି ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ୮ ଜଣ ଗୁରୁତର ହୋଇଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨ ମହିଳା ଶୁଖୁଆ ବେପାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
Powered by Froala Editor