ଗାଡ଼ି ବୀମା ନେଇ ଆସିଲା ଏହି ଖବର, ଜଣନ୍ତୁ କ'ଣ?

ଭୁବନେଶ୍ବର : ଯେଉଁ ଗାଡ଼ି ଚାଳକମାନେ ମୋଟର ଯାନ ଆଇନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଗାଡ଼ି ବୀମା ବାବଦକୁ ଅଧିକ ରାଶି ଦେବାକୁ ପଡ଼ିବ। ଗାଡ଼ି ଯେତେ ପୁରୁଣା ହେଲେ ବି ଯଦି ଗାଡ଼ି ମାଲିକ ମୋଟର ଯାନ ଆଇନ ଉଲ୍ଲଂଘନ କରୁଥିବେ ତେବେ ତାଙ୍କର ବୀମା ରାଶି ବର୍ଷକୁ ବର୍ଷ କମିବା ବଦଳରେ ବଢ଼ିଚାଲିବ। ଏଥିପାଇଁ ପରିବହନ ବିଭାଗ ଏକ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏହାକୁ ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ଆଇଆର୍ଡିଏଆଇକୁ ଲାଗୁ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ନିକଟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବୀମା କମ୍ପାନିଙ୍କୁ ନେଇ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଏପ୍ରିଲ ୧୦ରୁ ୮ସପ୍ତାହ ପର୍ୟ୍ୟନ୍ତ ସାରା ରାଜ୍ୟରେ ଗାଡ଼ି ବୀମା ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହେବ। ୧୫ଟି ଜିଲ୍ଲାରେ ବୀମା ଖିଲାପକାରୀ ଅଧିକ ଥିବାରୁ ସେଠାରେ ଏହି ଯାଞ୍ଚ ନିୟମିତ କରାଯିବ।
ସେହିପରି ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ବୀମା କମ୍ପାନିଙ୍କ ଡାଟାବେସ୍କୁ ‘ବାହନ’ ସହ ସଂଯୋଗ କରାଯିବ। ଯେପରି କେହି ମାନୁଆଲ୍ ଗାଡ଼ି ବୀମା କରିପାରିବେନି ତାହା ଉପରେ ନଜର ରଖାଯିବ। ଯେଉଁମାନଙ୍କ ବିରୋଧରେ ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିବ ସେମାନଙ୍କଠାରୁ ପ୍ରତି ଚାଲାଣ ପିଛା କେତେ ବୀମା ରାଶି ବଢ଼ିବ ସେନେଇ ଏସ୍ଟିଏ ଏକ ସ୍ଲାବ୍ ପ୍ରସ୍ତୁତ କରିବ। ଏହାକୁ ବାଣିଜ୍ୟ ଓ ପରିବହନ ବିଭାଗ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଇବ। ଏହା ଅନୁମୋଦନ ହେଲେ ତୁରନ୍ତ ଏହାକୁ ଲାଗୁ କରାଯିବ। ସେହିପରି ଅଧିକରୁ ଅଧିକ ପ୍ରଥମ ପାର୍ଟି ବୀମା କରିବା, ଗାଡ଼ି ବୀମାରେ ବ୍ୟକ୍ତିଗତ ଦୁର୍ଘଟଣା ବୀମା ବାଧ୍ୟତାମୂଳକ କରିବା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏସ୍ଓପି ଜାରି ହେବ ବୋଲି ନିଷ୍ପତ୍ତି ହୋଇଛି।
Powered by Froala Editor