ଅକ୍ଷୟ ତୃତୀୟାରୁ ଶୁଭାରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା

ପୁରୀ: ଆସନ୍ତା ୨୩ ତାରିଖ ରବିବାର ଅକ୍ଷୟ ତୃତୀୟା । ସେହିଦିନ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହାର ଚନ୍ଦନଯାତ୍ରାର ଶୁଭାରମ୍ଭ ହେବ । ୨୧ ଦିନ ଧରି ଠାକୁରେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରିବେ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗୁରୁବାର ଚୈତ୍ର ପୂର୍ଣ୍ଣିମା ଅବସରରେ ଭୋଇ ସେବକମାନେ ଚାପ ଉଠାଇବେ । ଗତ ବର୍ଷ ଯାତ୍ରା ପରେ ନରେନ୍ଦ୍ର ଜଳରେ ବୁଡ଼ି ରହିଥିବା ନୌକା ନନ୍ଦା-ଭଦ୍ରାକୁ ବାହାରକୁ କଢ଼ାଯାଇ ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯିବ ।
ମହାପ୍ରଭୁଙ୍କ ରୀତିନୀତିରେ ରହିଛି ସ୍ୱତନ୍ତ୍ରତା । ୨ଟି ଲେଖାଏଁ ନୌକାକୁ ଯୋଡ଼ି ନନ୍ଦା-ଭଦ୍ରା ପ୍ରସ୍ତୁତ ହୋଇଥାଏ । ସେଥିରେ ନୌଯାତ୍ରା କରିଥାନ୍ତି ଠାକୁରେ । ପଞ୍ଚମ ଡଙ୍ଗାରେ ପାରମ୍ପରିକ ବାଦ୍ୟ ବଜନ୍ତରୀ ବାଜେ । ଠାକୁରଙ୍କ ଡଙ୍ଗା ସମ୍ମୁଖରେ ଏହି ଡଙ୍ଗା ଯାଇଥାଏ । ବାହାର ଚନ୍ଦନଯାତ୍ରାର ଶେଷ ପର୍ବ ଠାକୁରଙ୍କ ହଳଦୀ ପାଣି ଉତ୍ସବ ସରିବା ପରେ ପରମ୍ପରା ଅନୁସାରେ ଡଙ୍ଗାକୁ ପାଣିରେ ବୁଡ଼ାଇ ଦିଆଯାଏ । ଚୈତ୍ର ପୂର୍ଣ୍ଣମୀରେ ନରେନ୍ଦ୍ର ଜଳରୁ ନନ୍ଦା-ଭଦ୍ରା ସମେତ ୫ଟି ଡଙ୍ଗା ବାହାରକୁ ଅଣାଯାଏ । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହି କାର୍ୟ୍ୟ ସମ୍ପନ୍ନ ହେବ । ପରେ ବିଶ୍ୱକର୍ମା ଓ ଚିତ୍ରକର ସେବକ ସହାୟତାରେ ଡଙ୍ଗା ପ୍ରସ୍ତୁତ ହୋଇ ଠାକୁରଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।
Powered by Froala Editor