ଆଜିଠୁ ଜିରୋ ଫଟାଲିଟି ଉଇକ୍

କଟକ : ଆସନ୍ତା ସାତ ଦିନ ଭିତରେ ରାଜ୍ୟରେ ଗୋଟିଏ ବି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେବନି । ଏଥିପାଇଁ ଶନିବାରଠାରୁ ଆରମ୍ଭ ହେବ ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ (ଜିରୋ ଫଟାଲିଟି ଉଇକ୍) । ଏହି ଅଭିଯାନ ୭ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିପାଇଁ ପ୍ରତ୍ୟେକ ବିଭାଗକୁ ସଜାଗ ରହିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ କୁହାଯାଇଛି ।୨ ତାରିଖ ଅପରାହ୍ଣ ୩ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯିବ। ୩ ତାରିଖ ଅପରାହ୍ଣ ୩ ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ମଦ୍ୟପ ଗାଡ଼ି ଚାଳକ ଏବଂ ଓଭର୍ଲୋଡିଂ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ୪ ତାରିଖ ସକାଳ ୯ଟାରୁ ଦିନ ୧ଟା ପର୍ୟ୍ୟନ୍ତ ନାବାଳକ/ନାବାଳିକା ଗାଡ଼ି ଚାଳକ ଏବଂ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଅପରାହ୍ଣ ୩ ଟାରୁ ସଂଧ୍ୟା ୭ ଟା ମଧ୍ୟରେ ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ।
ସେହିପରି ୫ ତାରିଖ ଅପରାହ୍ଣ ୩ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ଭୁଲ୍ ପାଶ୍ୱର୍ରେ ଗାଡ଼ି ଚଳାଉଥିଲେ, ବେଆଇନ ଭାବେ ପାର୍କିଂ କରିଥିଲେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ । ୭ ତାରିଖରେ ସକାଳ ୯ ଟାରୁ ୧ଟା ଏବଂ ଅପରାହ୍ଣ ୩ ଟାରୁ ସଂଧ୍ୟା ୭ଟା ପର୍ୟ୍ୟନ୍ତ ଦ୍ରୁତଗତିରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ର ବ୍ୟବହାର, ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇବା ଏବଂ ନାବାଳକ ଗାଡ଼ି ଚାଳକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଏସ୍ଟିଏର ସହକାରୀ କମିସନର (ଏନ୍ଫୋର୍ସମେଣ୍ଟ) ଲାଲ୍ମୋହନ ସେଠୀ ସୂଚନା ଦେଇଛନ୍ତି । ଏହି ମର୍ମରେ ପ୍ରତ୍ୟେକ ଆର୍ଟିଓଙ୍କୁ ଚିଠି କରାଯାଇଛି ।
ଏପ୍ରିଲ ପହିଲାରୁ ଏହି ଅଭିଯାନ ଆରମ୍ଭ ହେବ । ୧ ତାରିଖ ଦିନ ସକାଳ ୯ ଟାରୁ ଅପରାହ୍ଣ ଗୋଟାଏ ପର୍ୟ୍ୟନ୍ତ ଏବଂ ପୁଣି ୩ ଟାରୁ ୭ଟା ପର୍ୟ୍ୟନ୍ତ ଅଭିଯାନ ଚାଲିବ । ସେହିଦିନ ହେଲମେଟ୍ ପିନ୍ଧିନଥିବା, ଦ୍ରୁତଗତିରେ ଗାଡ଼ି ଚଳାଉଥିବା, ସିଟ୍ ବେଲଟ୍ ପିନ୍ଧିନଥିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ର ବ୍ୟବହାରକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ।
Powered by Froala Editor