ଆଇନ୍ ଶୃଙ୍ଖଳା ପ୍ରସଙ୍ଗ ଉପରେ ଏହା ଜବାବ ରଖିଲା ବିଜେଡି
ଭୁବନେଶ୍ୱର: ଆଇନ୍ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛି ବିଜେଡି । ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି । ଧର୍ମେନ୍ଦ୍ରଙ୍କୁ ତେରେଛା ତୀର ମାରି ବିଜେଡି ବିଧାୟକ କହିଛନ୍ତି, ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କଣ ଅଛି? ହାତରସ ହେଉ କି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣ ହତ୍ୟା କରିବା ହେଉ, ସେଗୁଡିକ କେଉଁ ଶୃଙ୍ଖଳା? ତେଣୁ କେବଳ କହିବା ଛଳରେ କହିଲେ ହେବ ନାହିଁ, ଏହାକୁ କେମିତି ସୁଧାରି ହେବ ସେ ନେଇ ପରାମର୍ଶ ଦେଲେ ଭଲହେବ ବୋଲି ବିଜେଡି ବିଧାୟକ କହିଛନ୍ତି ।
ଟୁଇଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି, କାନୁନବୀହିନ ଓଡିଶା ହିଁ ଏବେକାର ବାସ୍ତବିକତା । ଶାସନରେ ଦୀର୍ଘ ଦିନ ଧରି ରହିଥିବା ଲୋକ ଏ କଥାକୁ ଭଲସେ ଜାଣିଛନ୍ତି ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଛନ୍ତି । ଅନ୍ୟପଟେ ଝାରସୁଗୁଡାର ୧୫ ବର୍ଷୀୟ ଯୁବକ ସମର୍ଥର ହତ୍ୟାକୁ ନେଇ ମଧ୍ୟ ଧର୍ମେନ୍ଦ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପହରରେ ହତ୍ୟା କରିବାର ଠିକ୍ ଦୁଇ ମାସ ପରେ ସମର୍ଥଙ୍କ ହତ୍ୟା ଓଡିଶା ସରକାରଙ୍କ ଆଇନ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଓଡିଶାରେ ଏବେ ନା ଲୋକ ନା ଜନପ୍ରତିନିଧି, କେହି ବି ସୁରକ୍ଷିତ ନୁହଁନ୍ତି । ଝାରସୁଗୁଡାରେ ନିୟମିତ ଭାବେ ଏମିତି ବୀଭତ୍ସ ଘଟଣା ଦେଖିବାକୁ ମିଳୁଛି । ଯାହା ଫଳରେ ଓଡିଶା ଲୋକଙ୍କର ବିଶ୍ୱାସ କମିବାକୁ ଲାଗିଲାଣି ବୋଲି ଧର୍ମେନ୍ଦ୍ର କହିଛନ୍ତି । ତେବେ ଖାଲି ସେତିକି ନୁହେଁ, ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସରକାର ଚେଷ୍ଟା କରିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି ।
Powered by Froala Editor