ସାରାଙ୍କ ହାତରେ ଅଫର୍ ବର୍ଷା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍ ଏବେ ପୂରା ବ୍ୟସ୍ତ । କାରଣ ତାଙ୍କ ହାତରେ ଗୋଟିଏ ପରେ ଗୋଟେ ଫିଲ୍ମ ଅଫର୍ । ଅଭିନେତା ବିକ୍ରାନ୍ତ ମାସେ ଏବଂ ଅଭିନେତ୍ରୀ ଚିତ୍ରଙ୍ଗଦା ସିଂଙ୍କ ସହ ‘ଗ୍ୟାସ ଲାଇଟ୍'ରେ ସାରା ନଜର ଆସିବେ । ତାଙ୍କ ଚଳଚ୍ଚିତ୍ର ଆସନ୍ତା ୩୧ରେ ମୁକ୍ତିଲାଭ କରିବ । ଏହି ପ୍ରୋଜେକ୍ଟ ନସରୁଣୁ ଏବେ ପୁଣି ଏକ ଫିଲ୍ମ ପାଇଁ ସେ କଣ୍ଟ୍ରାକ୍ଟ ସାଇନ୍ କରିଛନ୍ତି । ନିର୍ଦ୍ଦେଶକ ଶରଣ ଶର୍ମାଙ୍କ ଆଗାମୀ ସିନେମା ‘ଗୁଞ୍ଜନ ସକ୍ସେନା'ରେ ସାରାଙ୍କୁ ଦେଖିବାକୁ ମିଳିବ । ଏନେଇ ସାରା ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଫିଲ୍ମର ସୁଟିଂ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହା ଏକ ଭିନ୍ନ ଧରଣର କାହାଣୀ ବୋଲି ସାରା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ସେ ଉତ୍ସାହିତ ବୋଲି କହିଛନ୍ତି ।
ସାରା ଅଲି ଖାନ୍ଙ୍କୁ ଖୁବ୍ଶୀଘ୍ର ଦର୍ଶକ ଭିକି କୌଶଲଙ୍କ ବିପକ୍ଷରେ ଚଳଚ୍ଚିତ୍ର ‘ଜରା ହଟକେ ଜାରା ବଚକେ'ରେ ଦେଖିବାକୁ ପାଇବେ । ଏହାବ୍ୟତୀତ ସେ ‘ଏ ତନ୍ ମେରେ ତନ୍' ଏବଂ ଅନୁରାଗ ବସୁଙ୍କ ‘ମେଟ୍ରୋ ଇନ୍ ଦିନୋ'ରେ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ, ଏହାଛଡ଼ା କିଛି ବିଜ୍ଞାପନ ସଂସ୍ଥା ତରଫରୁ ମଧ୍ୟ ତାଙ୍କୁ ସୁଯୋଗ ମିଳିଛି । ମୋଟାମୋଟି ଭାବେ କହିବାକୁ ଗଲେ ସାରାଙ୍କ ଉପରେ ଏବେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି । ସେଥିପାଇଁ ତାଙ୍କୁ ଢେର୍ ସାରା ସୁଯୋଗ ମିଳିଛି । ଏବେ ଦେଖିବାକୁ ରହିଲା ଦର୍ଶକ ତାଙ୍କୁ କେତେ ଭଲ ପାଇବା ଦେଉଛନ୍ତି । ଆଉ କିଭଳି ଭାବେ ସେ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖୁଛନ୍ତି ।
Powered by Froala Editor