ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ୧୦ ଦିନ ରାଜ୍ୟରେ ଚାଲିବ ସ୍ପେଶାଲ ଡ୍ରାଇଭ୍

କରୋନା ସ୍ଥିତିକୁ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଚ୍ଚଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ୧୦ ଦିନ ସ୍ପେଶାଲ ଡ୍ରାଇଭ୍ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସଂକ୍ରମଣ ବ୍ୟାପୁଥିବା ପଶ୍ଚିମ ଓଡିଶା ପ୍ରତି ସ୍ଵତନ୍ତ୍ର ନଜର ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆମ୍ବୁଲାନ୍ସ ଓ ଅକ୍ସିଜେନ୍ ବ୍ୟବସ୍ଥା ପ୍ରସ୍ତୁତ ରଖିବା ସହ କରୋନା ମୁକାବିଲା ପାଇଁ ହସ୍ପିଟାଲ୍ ଭିତ୍ତିଭୂମି ଦୃଢ଼ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଆମ୍ବୁଲାନ୍ସ ନଆସିବା, ହସ୍ପିଟାଲରେ ବେଡ୍ ନଥିବା ଗ୍ରହଣ କରାଯିବନି। ଏନେଇ ଯେମିତି କିଛି ଅଭିଯୋଗ ନଆସିବ, ସେଥିପାଇଁ ସମସ୍ତେ ଦାୟିତ୍ବ ସମ୍ପନ୍ନ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାକୁ ତୁରନ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଠାଇବା ସହ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ଛତିଶଗଡ଼ ସୀମାନ୍ତ ଜିଲା ଉପରେ ରାଜ୍ୟ ସରକାର ଫୋକସ୍ ଦେଇଛନ୍ତି। ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ସତର୍କ ନଜର ରଖାଯିବ। ଓଡ଼ିଶାର ସୀମାନ୍ତବର୍ତ୍ତି ଜିଲାଗୁଡ଼ିକରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଓ ଲ୍ୟାବ୍ ଟେକ୍ନିସିଆନ୍ ମୁତୟନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାାପାତ୍ର, ରାଜ୍ୟର ସବୁ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ କାରଣରୁ ଛତିଶଗଡ ସୀମାରେ ଥିବା ରାଜ୍ୟର ୧୦ ଜିଲ୍ଲାରେ ଏପ୍ରିଲ ୫ ତାରିଖରୁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ବାକି ସମସ୍ତ ଗତିବିଧି ବନ୍ଦ ରହିବ। ଅନ୍ୟ ଆଦେଶ ନ ଆସିବା ପର୍ଯ୍ୟନ୍ତ ଏହି ରାତ୍ରକାଳୀନ କର୍ଫ୍ୟୁ ସୀମାନ୍ତ ୧୦ ଜିଲ୍ଲା ମାଲକାନଗିରି, କୋରାପୁଟ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ସୁନ୍ଦରଗଡରେ ଲାଗୁ ରହିବ।