ଡିଜେ ସାଉଣ୍ଡରେ ଚାଲିଗଲା ବର ଜୀବନ

ଡିଜେ ସାଉଣ୍ଡ ଅତିଷ୍ଠ କରିପକାଉଥିଲା । ସାଉଣ୍ଡ ଏତେ ଜୋରରେ ହେଉଥିଲା ଯେ, ମଣ୍ଡପ ଥରୁଥିଲା । ସେଥିପାଇଁ ବର ବାରମ୍ବାର କହୁଥିଲା ସାଉଣ୍ଡ ବନ୍ଦ କରିବାକୁ । ହେଲେ ବାହାଘର ଓ ନାଚ ନିଶା ସମସ୍ତଙ୍କୁ ଏମିତି ଘାରିଥିଲା ଯେ, କେହି ବର କଥା ଶୁଣିଲେନି । କିଛି ସମୟପରେ ମଣ୍ଡପରେ ହିଁ ଟଳିପଡିଥିଲେ ବର । କନ୍ୟା ସହ ସାତ ଫେରା ହେବା ଆଗରୁ ସେ ପ୍ରାଣତ୍ୟାଗ କରିସାରିଥିଲେ ।
ଏଭଳି ଖବର ସାମ୍ନାକୁ ଆସିଛି ବିହାରରୁ। ବିହାରର ସୀତାମଢ଼ି ଅଞ୍ଚଳରେ ବୁଧବାର ରାତିରେ ଇନ୍ଦରବା ଗାଁର ଯୁବତୀଙ୍କୁ ବିବାହ କରିବାକୁ ବରଯାତ୍ରୀ ନେଇ ପହଞ୍ଚିଥିଲେ ଧନହା ପଞ୍ଚାୟତର ଗୁଦର ରାୟ। ମଞ୍ଚ ଉପରେ ବରକୁ କନ୍ୟା ନିଜେ ବରଣ କରିଥିଲେ। ଏହାପରେ ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇଥିଲେ। ସାମ୍ନାରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ବସିଥିଲେ। ଖୁବ୍ ଜୋର୍ରେ ସେଠାରେ ଡିଜେ ବି ବାଜୁଥିଲା।
ଅନେକ ସମୟ ପର୍ଯ୍ୟନ୍ତ ଫଟୋ ଉଠା ଚାଲିଲା। ଏହି ସମୟରେ ଅଚାନକ ଡିଜେ ଶବ୍ଦ ଶୁଣି ବର ବିବ୍ରତ ହୋଇ ଉଠିଲେ ଓ ସେଠାରେ ଅଚେତ ହୋଇ ପଡ଼ିଗଲେ। ଏହା ଦେଖିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ବରକୁ ହସ୍ପିଟାଲ ନିଆଯାଇଥିଲା। ତେବେ ଅଧବାଟରେ ହିଁ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି।
ମଣ୍ଡପ ଉପରେ ଡିଜେର ଶବ୍ଦ ଜୋର୍ରେ ବାଜୁଥିଲା। ଏହାକୁ ବନ୍ଦ କରିବାକୁ ବାରମ୍ବାର କହିଥିଲା ବର। କିନ୍ତୁ କେହି ଶୁଣି ନଥିଲେ। ଏହାପରେ ବର ଟଳିପଡିଥିଲା ବୋଲି ସେଠାରେ ଥିବା ସମ୍ପର୍କୀୟମାନେ କହିଛନ୍ତି।
Powered by Froala Editor