ଅଟୋକୁ ଧକ୍କା ଦେଲା ହାଇୱା,୩ମୃତ
ଅନୁଗୁଳ: ଶନିବାର ବିଳମ୍ୱିତ ରାତିରେ ଅନୁଗୋଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ସାଢ଼େ ୧୨ଟା ହେବ। ବନ୍ତଳା ଥାନା କୁଲାସିଂଗା ଗାଁର ପୀତାମ୍ୱର ପ୍ରଧାନ ତାଙ୍କ ଝିଅକୁ ଶାଶୂ ଘର ନୂଆରାଇଗୁଡ଼ାରେ ଛାଡ଼ିବା ପାଇଁ ଅଟୋରେ ଯାଇଥିଲେ। ତାଙ୍କ ସାଥୀରେ ଯାଇଥିଲେ ପତ୍ନୀ ଜମ୍ୱୁ, ଭାଇ ମୁନ୍ନା ପ୍ରଧାନ ଓ ସମ୍ପର୍କୀୟ ଗୁଣ୍ଡିଚା ପ୍ରଧାନ। ଝିଅକୁ ଶାଶୁ ଘରେ ଛାଡ଼ି ସେମାନେ ବିଳମ୍ୱିତ ରାତିରେ ଘରକୁ ଫେରୁଥିଲେ।
ତେବେ ଖାଲଗାଁ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପୀତାମ୍ୱର ଓ ଗୁଣ୍ଡିଚାଙ୍କ ମୃତ୍ୟୁ ଘଟିଥିବା ବେଳେ ମୁନ୍ନା ଓ ଜମ୍ୱୁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବନ୍ତଳା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ମୁନ୍ନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ଜମ୍ୱୁ ବନ୍ତଳା ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି।ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
Powered by Froala Editor