ନବୀନ ନିବାସ ଠିକଣାରେ ଗଲା ୧୦୦୦ ଚିଠି, ଜାଣନ୍ତୁ କାରଣ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବୀନ ନିବାସ ଠିକଣାରେ ଗଲା ୧୦୦୦ ଚିଠି। ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଚିଠି ଲେଖାଯାଇଛି। ପ୍ରଶାସନ ଓ ଜନ ପ୍ରତିନିଧିଙ୍କଠାରୁ ନିରାଶ ହୋଇ ଗାଁ ଲୋକେ ଏହି ଚିଠି ଲେଖିଛନ୍ତି। ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୦୦ କିମି ଦୂର ପୁରୀ ଜିଲ୍ଲାରୁ ଆସିଛି ଏହି ଚିଠି।
ଗୋପ, ନିମାପଡ଼ା, ବାଲିପାଟେଣା ଓ ବାଲିଅନ୍ତା ବ୍ଲକ ଦେଇ ପ୍ରବାହିତ ହୋଇଛି ଧନୁଆ ନଦୀ। ବାତ୍ୟା ବା ଭୀଷଣ ବର୍ଷା ହେଲେ ନଦୀ କୂଳିଆ ଲୋକଙ୍କ ଛନକା ପଶୁଛି। ବନ୍ୟା ପାଣିରେ ସର୍ବସ୍ୱ ହରାଉଛନ୍ତି ଲୋକେ। ମିଳିଥିବା ସୂଚନା ମୁତାବକ, ୧୯୮୫ ମସିହାରୁ ଏପର୍ୟ୍ୟନ୍ତ ଅର୍ଥାତ ଦୀର୍ଘ ୩୮ ବର୍ଷରେ ଏହି ୪ଟି ବ୍ଲକ୍ର ୪୨ଟି ପଞ୍ଚାୟତର ହଜାର ହଜାର ଲୋକ ଧନୁଆ ନଦୀ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି।
ଧନୁଆ ନଦୀର ବନ୍ୟା ଦାଉରୁ ବଞ୍ଚିବା ପାଇଁ ୪ ବ୍ଲକର ଲୋକେ ବହୁବାର ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପାଖରେ ଗୁହାରୀ କରିଛନ୍ତି। ମାତ୍ର କିଛି ସୁଫଳ ମିଳୁନାହିଁ। ଜନ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଉ ନଥିବାରୁ ଦୀର୍ଘ ବର୍ଷ ଧରି ଯନ୍ତ୍ରଣାରେ ଘାଣ୍ଟି ହେଉଥିବା ଗରିବ ଲୋକଙ୍କ ସମସ୍ୟା ସମାଧାନ ହେଉନାହିଁ। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଆଜି ଧନୁଆ ବନ୍ୟା କ୍ରିୟାନୁଷ୍ଠାନ କମିଟି ନେଇଛି ବଡ଼ ନିଷ୍ପତ୍ତି।
ନିଷ୍ପତ୍ତି ମୁତାବକ, ୪ ବ୍ଲକର ୧୦୦୦ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି। ପୋଷ୍ଟକାର୍ଡରେ ଚିଠି ଲେଖି ଲୋକମାନେ ଗୋପ ଡାକ ବାକ୍ସରେ ପକାଇଚନ୍ତି। ଚିଠି ଗୁଡ଼ିକ ନବୀନ ନିବାସ ଠିକଣାରେ ପଠାଇଛନ୍ତି ୪ ବ୍ଲକର ଗାଁ ଲୋକ।
Powered by Froala Editor