ବଜାରକୁ ଆସିବ କ୍ୟାନ୍ସର୍ ଟିକା ସର୍ଭାଭାକ୍
ନୂଆଦିଲ୍ଲୀ: ଚଳିତ ମାସ ବଜାରକୁ ଆସିବ ସର୍ଭାଇକଲ୍ କ୍ୟାନ୍ସର୍ ବିରୋଧରେ ଭାରତରେ ପ୍ରସ୍ତୁତ ପ୍ରଥମ ଟିକା ସର୍ଭାଭାକ୍ । ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକା ପ୍ରସ୍ତୁତ କରିଛି । ଦୁଇଟି ଡୋଜ୍ଯୁକ୍ତ ପ୍ରତ୍ୟେକ ଶିଶିର ମୂଲ୍ୟ ରହିବ ୨ ହଜାର ଟଙ୍କା । ଏହା ହେଉଛି ସର୍ଭାଇକଲ୍ କ୍ୟାନ୍ସର୍ ବିରୋଧରେ ପ୍ରଥମ ସ୍ୱଦେଶୀ ହ୍ୟୁମାନ୍ ପାପିଲୋମାଭାଇରସ୍ (ଏଚ୍ପିଭି) ଟିକା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ଜାନୁଆରୀ ୨୪ ତାରିଖରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାୱାଲା ଓ ଏହାର ଗଭର୍ନମେଣ୍ଟ ଆଣ୍ଡ ରେଗୁଲେଟୋରି ଆଫେୟାର୍ସର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହଙ୍କ ଉପସ୍ଥିତିରେ ଟିକା ଉନ୍ମୋଚନ କରିଥିଲେ ।
ଘରୋଇ ବଜାର ପାଇଁ ଏଚ୍ପିଭି ଟିକାର ମୂଲ୍ୟ ଉପଲବ୍ଧ ଅନ୍ୟ ଏଚ୍ପିଭି ଟିକା ଅପେକ୍ଷା ଖୁବ୍ କମ୍ ବୋଲି ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଟିକା ଚାହୁଁଥିବା ହସ୍ପିଟାଲ, ଡାକ୍ତର ଓ ସଂସ୍ଥାଗୁଡ଼ିକୁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଚଳିତ ମାସରୁ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଦେଶ ଏବେ ଏଚ୍ପିଭି ଟିକା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ବିଦେଶୀ ସଂସ୍ଥା ଉପରେ ନିର୍ଭର କରୁଛି । ବର୍ତ୍ତମାନ ଘରୋଇ ବଜାରରେ କେବଳ ଗୋଟିଏ ଏଚ୍ପିଭି ଟିକା ଆମେରିକାନ୍ ମଲ୍ଟିନ୍ୟାସ୍ନାଲ ମର୍କର ‘ଗାର୍ଡାସିଲ୍’ ଉପଲବ୍ଧ ହେଉଛି । ଗୋଟିଏ ଡୋଜ୍ଯୁକ୍ତ ପୂର୍ବରୁ ସିରିଞ୍ଜ୍ରେ ଭର୍ତ୍ତି ଏହି ଟିକାର ମୂଲ୍ୟ ୧୦, ୮୫୦ ଟଙ୍କା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜୁନ୍ ମାସରେ ୯ରୁ ୧୪ ବର୍ଷ ବୟସର ଝିଅଙ୍କ ପାଇଁ ଜାତୀୟ ଟିକାକରଣ କାର୍ୟ୍ୟକ୍ରମରେ ସର୍ଭାଇକଲ୍ କ୍ୟାନ୍ସର ବିରୋଧରେ ଏଚ୍ପିଭି ଟିକା ଆରମ୍ଭ କରିବାକୁ ଯୋଜନା କରିଛି ।
Powered by Froala Editor