ରହସ୍ୟମୟ ହ୍ରଦ, ଯାହାର ପାଣି ପିଇଲେ ମୃତ୍ୟୁ ନିଶ୍ଚିତ
ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରାନ୍ତରେ ରହିଛି ଏକ ରହସ୍ୟମୟ ହ୍ରଦ । ଯାହାର ପାଣି ପିଇବା ପରେ କେହି ଜୀବିତ ରହିପାରନ୍ତି ନାହିଁ । ଶୁଣିଲେ ଭୟ ଲାଗୁଛି ନା । କିନ୍ତୁ କଥାଟା ସତ । ଏହି ହ୍ରଦର ନାଁ ଫୁନ୍ଦୁଜି ହ୍ରଦ ।
ହ୍ରଦର ଏପରି ରହସ୍ୟ ପଛରେ ଅନେକ କାହାଣୀ ରହିଛି । ସ୍ଥାନୀୟ ଲୋକଙ୍କ ଅନୁସାରେ, ପ୍ରାଚୀନ କାଳରେ ଏହି ବାଟ ଦେଇ ଯାଉଥିବା ରୋଗୀମାନଙ୍କୁ ଏଠାରେ ରହୁଥୁବା ଲୋକେ ଖାଦ୍ୟ ଓ ଆଶ୍ରୟ ଦେବାକୁ ମନା କରିଦେଇଥିଲେ । ଯାହା ପରେ ସେମାନେ ସେଠାକାର ଲୋକମାନଙ୍କୁ ଅଭିଶାପ ଦେଇ ହ୍ରଦ ଭିତରକୁ ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ସେମାନେ ଅଦୃଶ୍ୟ ହୋଇଯାଇଥିଲେ ।
କୁହାଯାଏ ଯେ, ହ୍ରଦ ଭିତରୁ ସକାଳୁ ସକାଳୁ ଡ୍ରମ୍ ବଜାଇବା, ପଶୁପକ୍ଷୀ ଏବଂ ଲୋକଙ୍କ ଚିତ୍କାର ଆଦି ଶୁଣିବାକୁ ମିଳେ । ସ୍ଥାନୀୟ ଲୋକେ କୁହନ୍ତି, ଏହି ହ୍ରଦର ସୁରକ୍ଷା ପାହାଡ ଉପରେ ଥିବା ଏକ ବିଶାଳ ଅଜଗର କରିଥାଏ, ଯାହାକୁ ପ୍ରସନ୍ନ କରିବା ପାଇଁ ପ୍ରତିବର୍ଷ ବେନ୍ଦା ଆଦିବାସୀ ସଂପ୍ରଦାୟ ଲୋକମାନେ ଏକ ନୃତ୍ୟ ଉତ୍ସବର ଆୟୋଜନ କରିଥାନ୍ତି । ଯେଉଁଥିରେ କେବଳ କୁଆଁରୀ ଝିଅ ନାଚିଥାନ୍ତି ।
ହ୍ରଦର ସୃଷ୍ଟି ପ୍ରାଚୀନ ସମୟରେ ଭୂସ୍ଖଳନ କାରଣରୁ ମୁଟାଲି ନଦୀ ସ୍ରୋତ ବନ୍ଦ ହୋଇଯିବାରୁ ହୋଇଥିଲା । ହ୍ରଦର ପାଣି ସମ୍ପୂର୍ଣ୍ଣ ସ୍ୱଚ୍ଛ । ତଥାପି ଏହାର ପାଣି ପିଇଲେ କାହିଁକି ମୃତ୍ୟୁ ହୁଏ ତାହା ଜଣାପଡିନାହିଁ । ପାଣିର ରହସ୍ୟ ଜାଣିବା ପାଇଁ ଅନେକ ବୈଜ୍ଞନିକମାନେ ଚେଷ୍ଟା କରିଛନ୍ତି । କିନ୍ତୁ ସଫଳ ହୋଇନାହାନ୍ତି ।
୧୯୪୬ ମସିହାରେ ଏହି ହ୍ରଦ ପାଣିର ରହସ୍ୟ ଜାଣିବା ପାଇଁ ଏଣ୍ଡି ଲେଭିନ୍ ନାମକ ଜଣେ ବ୍ୟକ୍ତି ଆସିଥିଲେ । ସେ ସେଠାରୁ କିଛି ପାଣି ଏବଂ ଗଛ ନେଇ ଚାଲିଯାଇଥିଲେ । ହେଲେ ବାଟରେ ଯିବା ସମୟରେ ରାସ୍ତା ଭୁଲିଯାଇଥିଲେ । ଶେଷରେ ସେ ପାଣି ଏବଂ ଗଛ ଫିଙ୍ଗି ଦେଇଥିଲେ । ତା ପରେ ଯାଇ ସେ ଠିକ୍ ରାସ୍ତା ପାଇଥିଲେ । ହେଲେ ଏକ ସପ୍ତାହ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ସେଥିପାଇଁ ଏହି ହ୍ରଦର ପାଣି ଆଜି ବି ଲୋକମାନଙ୍କ ନିକଟରେ ରହସ୍ୟ ।
Powered by Froala Editor