'ୟସ୍' ପାଇଁ ୭୪ଟି ଟ୍ରେନ୍ ବାତିଲ୍

୨୬ରେ ବାତ୍ୟା 'ୟସ୍' ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗର ଏଭଳି ଆକଳନ ପରେ ପୂର୍ବତଟ ରେଳପଥ ପକ୍ଷରୁ ମୋଟ ୭୪ଟି ଟ୍ରେନକୁ ବାତିଲ୍ କରାଯାଇଛି । ଏହି ସବୁ ଟ୍ରେନ୍ ଭୁବନେଶ୍ୱର ଓ ପୁରୀକୁ ସଂଯୋଗ କରୁଥିଲା ।
ବାତିଲ୍ ହୋଇଥିହା ପ୍ରମୁଖ ଟ୍ରେନ୍ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ୍, ଭୁବନେଶ୍ୱର ହାୱଡ଼ା ଜଙ୍କସନ୍ ଶତାବ୍ଦୀ ସ୍ପେଶାଲ୍, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେଶାଲ୍, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ୍, ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ୍, ଭୁବନେଶ୍ୱର-ସିକନ୍ଦରାବାଦ ଭିଶାଖା ସ୍ପେଶାଲ୍, ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ସ୍ପେଶାଲ୍, ପୁରୀରୁ ଅହମଦାବାଦ-ସୁରଟ ଓ ଆଜମେର ଯାଉଥିବା ଟ୍ରେନ୍, ପୂର୍ବତଟ ରେଳପଥ ଦେଇ ହାୱଡ଼ା-ଚେନ୍ନାଇ ମୁଖ୍ୟ ଲାଇନକୁ ଯାଉଥିବା ଟ୍ରେନକୁ ବାତିଲ୍ କରାଯାଇଛି ।
ବଙ୍ଗୋପସାଗରରେ ଆଣ୍ଡାମାନ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ । ୨୪ରେ ଏହା ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଂଚଳର ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏହା ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ ସ୍ଥାନ ନିରୂପଣ ହୋଇନାହିଁ । ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଓଡ଼ିଶା ପ୍ରଶାସନ ଓ ପୋଲିସ ତତ୍ପରତା ପ୍ରକାଶ କରିଛନ୍ତି ।
Powered by Froala Editor