ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଭୁବନେଶ୍ୱର ସମ୍ ହସ୍ପିଟାଲ ସହଯୋଗରେ ପୁରୀ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି । ହସ୍ପିଟାଲରେ ୯୦ଟି ସାଧାରଣ ଅକ୍ସିଜେନ ବେଡ୍, ୪୦ଟି ଏଚଡିୟୁ ବେଡ୍, ୨୦ଟି ଆଇସିୟୁ ବେଡ୍ ରହିଛି । ଏଥିରେ ଉଚ୍ଚମାନର ଲାବୋରେଟୋରୀ ସହ ଡାଏଗ୍ନୋଷଷ୍ଟିକ ସୁବିଧା ମିଳିବ । ଏହି ମେଡିକାଲରେ କୋଭିଡ ରୋଗିମାନଙ୍କର ଚିକିତ୍ସା ସହିତ ବିଭିନ୍ନ ଟେଷ୍ଟିଂ ଏବଂ ପରିକ୍ଷା କରାଯିବାର ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାରଙ୍କ ସହ ମିଶି କୋଭିଡ୍ କେୟାର ବ୍ୟବସ୍ଥାକୁ ଚଳାଇବା ଲାଗି ସମ୍ ହସ୍ପିଟାଲ୍ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଏବେର ସମୟ ଆମ ପାଇଁ ଦେଶ ପାଇଁ ଚ୍ୟାଲେଞ୍ଜିଂ । ମହାମାରୀ ବିଶାଳ ମାନବସଂକଟ ସୃଷ୍ଟି କରିଛି । ଏହା ଆମ ଜୀବନକୁ, ସ୍ୱାସ୍ଥ୍ୟ ସହ କଲ୍ୟାଣ ପ୍ରତି ବିପଦ ସୃଷ୍ଟି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହସ୍ପିଟାଲ ଗୁରୁତର କୋଭିଡ୍ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ । ଏହା ପୂର୍ବରୁ ଜିଲ୍ଲାବାସୀଙ୍କୁ ଭୁବନେଶ୍ୱର ଓ କଟକର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏବେ ଜିଲ୍ଲାରେ ଚିକିତ୍ସା ମିଳିବ । ହସ୍ପିଟାଲର ସମସ୍ତ ପରିଚାଳନା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହସ୍ପିଟାଲର ସମସ୍ତ ଶଯ୍ୟା ଅକ୍ସିଜେନ୍ ପାଇପଲାଇନ୍ ସହ ସଂଯୁକ୍ତ ରହିଛି । ଆବଶ୍ୟକସ୍ଥଳରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Powered by Froala Editor