ଯାତ୍ରୀଙ୍କୁ ଦୁର୍ବ୍ୟବହାର: କ୍ୟାନ୍ସର ରୋଗୀଙ୍କୁ ବି ଛାଡ଼ିଲେନି, ଟେକ୍ ଅଫ୍ ପୂର୍ବରୁ ଓହ୍ଲାଇଦେଲା
ନୂଆଦିଲ୍ଲୀ: ପୁଣି ବିମାନ ଭିତରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର। କ୍ୟାନ୍ସର ରୋଗୀଙ୍କୁ ବି ଛାଡ଼ିଲେନି ବିମାନ କର୍ମଚାରୀ। ବିମାନ ସିଟ୍ ଉପରେ ଥିବା କ୍ୟାବିନ୍ରେ ହ୍ୟାଣ୍ଡବ୍ୟାଗ୍ ରଖି ନପାରିବାରୁ ଜଣେ କ୍ୟାନ୍ସର ରୋଗୀଙ୍କୁ ଟେକ୍ ଅଫ୍ ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇ ଦେଇଛନ୍ତି। ଏଭଳି କିଛି ଅଭିଯୋଗ ଆସିଛି ଆମେରିକାନ୍ ଏୟାରଲାଇନ୍ସରୁ।
ଆମେରିକାନ୍ ଏୟାରଲାଇନ୍ସର ବିମାନ ଏଏ-୨୯୩ରେ ଅଳ୍ପଦିନ ତଳେ ଅସ୍ତ୍ରୋପଚାର କରାଇଥିବା ଜଣେ ମହିଳା କ୍ୟାନ୍ସର ରୋଗୀ ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିଲେ। ତେବେ ଅସ୍ତ୍ରୋପଚାର ପରେ ପ୍ଲାଷ୍ଟର୍ କରାଯାଇଥିବାରୁ ବ୍ୟାଗ୍ଟିକୁ ଉଠାଇ କ୍ୟାବିନ୍ରେ ରଖିବା ପାଇଁ ସେ କ୍ରୁ’ ସଦସ୍ୟଙ୍କୁ ସାହାଯ୍ୟ କରିବାକୁ କହିଥିଲେ। କିନ୍ତୁ, ସାହାଯ୍ୟ କରିବା ପରିବର୍ତ୍ତେ ସେମାନେ ତାଙ୍କୁ ବିମାନରୁ ଓହ୍ଲାଇ ଯିବାକୁ କହିଥିଲେ। ଜାନୁଆରୀ ୩୦ ତାରିଖରେ ଏହି ଘଟଣା ଘଟିଛି।
ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ମୀନାକ୍ଷି ସେନଗୁପ୍ତା ନାମକ ମହିଳା ଜଣକ ଉକ୍ତ ଆମେରିକାନ୍ ଏୟାର୍ଲାଇନ୍ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଅଭିଯୋଗ ପରେ ରିପୋର୍ଟ ମାଗି ଆମେ ଘଟଣାର ତଦନ୍ତ କରିବୁ ବୋଲି ଡାଇରୋକ୍ଟେରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ ର ଡିଜି କହିଛନ୍ତି।
Powered by Froala Editor