ଜାତୀୟ ପୁରସ୍କାର ବିଜେତା ବାଣୀ ଜୟରାମଙ୍କ ପରଲୋକ
ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟିକା ବାଣୀ ଜୟରାମଙ୍କ ୭୭ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ଏହି ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ତେବେ ମୃତ୍ୟୁ ଖବର ମିଳିଥିଲେ ବି କେଉଁ କାରଣ ପାଇଁ ତାଙ୍କର ଦେହାନ୍ତ ହେଲା, ତାହା ସାମ୍ନାକୁ ଆସିନାହିଁ।
ନିକଟରେ ବାଣୀ ଜୟରାମ ଜଣେ ସଫଳ ଗାୟିକା ଭାବରେ ସଙ୍ଗୀତ ଶିଳ୍ପରେ ୫୦ ବର୍ଷ ପୂରଣ କରିଥିଲେ। ସେ ନିଜ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ରେକର୍ଡ କରିଥିଲେ। ବାଣୀ ଜୟରାମ ଆର୍ ଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଥିଲେ। ହଠାତ ତାଙ୍କ ଦେହାନ୍ତ ଖବର ଆସିବା ପରେ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ ଖେଳିଯାଇଛି।
ବାଣୀ ଜୟରାମ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡ଼ିଆରେ ବହୁ ଲୋକପ୍ରିୟ ଗୀତ ଗାଇଥିଲେ। ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ ଏବଂ ଓଡିଶାରୁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଜାନୁଆରି ୨୫ରେ, ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିବା ବେଳେ ଗାୟିକ ବାଣୀ ଜୟରାମଙ୍କୁ ପଦ୍ମଭୂଷଣ ଦେବା ଲାଗି ଘୋଷଣା କରାଯାଇଥିଲା ।
Powered by Froala Editor