ଦୁର୍ନୀତିଗ୍ରସ୍ତ ପୁଲିସ ଏସଆଇଙ୍କୁ ୫ ବର୍ଷ ଜେଲ ଦଣ୍ଡ
ବାରିପଦା: ଦୁର୍ନୀତିଗ୍ରସ୍ତ ପୁଲିସ ଏସ ଆଇଙ୍କୁ ସ୍ଵତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟ ଦେଇଛନ୍ତି। ଏଥି ସହ ୪୦ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୧ ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବ ଇନିସ୍ପେକ୍ଟର ହୃଷିକେଶ ପଶ୍ଚିମକବାଟ ।
ପ୍ରକାଶ ଯେ, ଖୁଣ୍ଟା ଥାନାରେ ଏକ ଯୌତୁକ ନିର୍ୟାତନା ମାମଲାରେ ଅଭିଯୁକ୍ତ ମାନଙ୍କ ସପକ୍ଷରେ ଯିବାକୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଖୁଣ୍ଟା ଥାନା ଅନ୍ତର୍ଗତ ସାନବେଳାକୁଟି ଗ୍ରାମର ସଞ୍ଜିବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ୟ୍ୟାତନା ମାମଲା ରୁଜୁ ହୋଇଥିଲା । ଏହି ମାମଲରେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବା ପାଇଁ ଏସଆଇ ହୃଷିକେଶ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୫ ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ଶୀଘ୍ର ଦେବାକୁ କହିଥିଲେ । ଏହାକୁ ନେଇ ସଞ୍ଜିବଙ୍କ ଭାଇ ବିବେକାନନ୍ଦ ପୁଥାଳ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।
Powered by Froala Editor