ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବିଶାଖାପଟନମ ହେବ ନୂଆ ରାଜଧାନୀ
ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପଟନମ । ଏନେଇ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି । ଦିଲ୍ଲୀରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଜଗନ ପୁଞ୍ଜିପତି ଓ ନିବେଶକଙ୍କୁ ଆନ୍ଧ୍ରକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ଚଳିତ ବର୍ଷ ମେ’ ମାସରେ ବିଶାଖାପଟନମରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମ୍ମିଳନୀକୁ ସେ ସମସ୍ତ ଶିଳ୍ପପତି ଆସନ୍ତୁ ବୋଲି ସେ କହିଛନ୍ତି।
ଜଗନ ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ କହିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ ଏଠାରେ ବିଶାଖାପଟନମକୁ ନିମନ୍ତ୍ରଣ କରୁଛି। କାରଣ ବିଶାଖାପଟନମ ଆମର ରାଜଧାନୀ ହେବାକୁ ଯାଉଛି। ଆଗାମୀ ଦିନରେ ମୁଁ ମଧ୍ୟ ବିଶାଖାପଟନମକୁ ଚାଲି ଆସିବି। ଆଗାମୀ କିଛି ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ।”
ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀ ସମ୍ପର୍କରେ ଶୁଣାଣି କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ସାମ୍ନାକୁ ଆସିଛି। ଅମରାବତୀକୁ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ଆନ୍ଧ୍ର ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
Powered by Froala Editor