ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲେ ୧୦ ଜଣ, ଫସିଛନ୍ତି ଆହୁରି ଅନେକ
ଝାରଖଣ୍ଡର ଧନବାଦରେ ଥିବା ଗୋଟିଏ ଆବାସିକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆଉ କେତେ ଲୋକ ସେଠାରେ ଫସି ରହିଛନ୍ତି ସେନେଇ ସୂଚନା ମିଳିନାହିଁ। କିଛି ଲୋକ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ଆଉ କିଛି ଶ୍ୱାସରୁଦ୍ଧ ହୋଇ ଆଖି ବୁଜିଛନ୍ତି। ଏବେ ବି ନିଆଁ ଲିଭା କାର୍ଯ୍ୟ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନି।
ପ୍ରାଥମିକ ସୂଚନା ଅନୁସାରେ, ଧନବାଦରେ ଥିବା ଆଶୀର୍ବାଦ ଟାୱାର ନାମକ ଗୋଟିଏ ଆପାର୍ଟମେଣ୍ଟରେ ନିଆଁ ଲାଗିଛି। ପ୍ରଥମେ ଆପାର୍ଟମେଣ୍ଟର ଗୋଟିଏ ମହଲାରେ ନିଆଁ ଲାଗିଥିଲା। ନିଆଁ ଏତେ ଜୋରରେ ବ୍ୟାପିବାରେ ଲାଗିଛି ଯେ ଏହାକୁ ନିୟନ୍ତ୍ରଣ କରିବା ଅଗ୍ନିଶମ ବାହିନୀ ପାଇଁ ଚ୍ୟାଲେଞ୍ଜ ହୋଇଛି। ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ଦୁଇ ଦିନ ପୂର୍ବେ ସହରର ବ୍ୟାଙ୍କ ମୋଡ୍ ପୋଲିସ ଷ୍ଟେଶନ ଅଞ୍ଚଳର ହାଜ୍ରା କ୍ଲିନିକରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଶ୍ୱାସରୁଦ୍ଧ ହେବା ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor