ନବ ଦାସଙ୍କ ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ ୩ ମନ୍ତ୍ରୀ
ଭୁବନେଶ୍ୱର: ଦିବଗଂତ ମନ୍ତ୍ରୀ ନବ କିଶୋର ଦାସଙ୍କର ଆଜି ହେବ ଶେଷକୃତ୍ୟ। ଭୁବନେଶ୍ବର ସରକାରୀ ବାସଭବନରେ ଶେଷ ଦର୍ଶନ ସହିତ ବିଜେଡି କାର୍ୟ୍ୟାଳୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ପରେ ଝାରସୁଗୁଡ଼ା ଅଭିମୁଖେ ଯିବ ମରଶରୀର । ହେଲିକପ୍ଟରରେ ପାର୍ଥୀବ ଶରୀରକୁ ଝାରସୁଗୁଡ଼ା ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ହେବ ଶେଷକୃତ୍ୟ । ମନ୍ତ୍ରୀଙ୍କ ବିୟୋଗରେ ରାଜ୍ୟବ୍ୟାପୀ ୩ ଦିନିଆ ଶୋକ ପାଳନ କରାଯିବ । ଆସନ୍ତାକାଲି ପର୍ୟ୍ୟନ୍ତ ଶୋକ ପାଳନ କରାଯିବ । ରାଜଧାନୀ ଭୁବନେଶ୍ବର ଓ ଝାରସୁଗୁଡ଼ାରେ ଅର୍ଦ୍ଧନମିତ ହେବ ଜାତୀୟ ପତାକା । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ୩ ମନ୍ତ୍ରୀ ଉପସ୍ଥିତ ରହିବେ । ସଂସଦୀୟ ବ୍ୟାପର, ଅର୍ଥ, କୃଷି, ବାଣିଜ୍ୟ ଓ ପରିବହନ, ଜଳ ସଂପଦ ମନ୍ତ୍ରୀ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିବେ ।
ଗୁଳିମାଡ଼ରେ ଗୁରୁତର ହୋଇ ଗତକାଲି ସନ୍ଧ୍ୟାରେ ରାଜଧାନୀର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଥିଲା । ପରେ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ବିଧାନସଭା ପରିସରକୁ ନିଆଯାଇଥିଲା ମରଶରୀର । ସେଠାରେ ସବୁ ଦଳର ନେତା ଓ ବିଧାୟକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ନବ କିଶୋରଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା ମରଶରୀର । ଆଜି ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ।
Powered by Froala Editor