ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଓଡ଼ିଆଙ୍କ ପାଇଁ ଓଡ଼ିଶାବାସୀ ଗର୍ବିତ: ଧର୍ମେନ୍ଦ୍ର
ଭୁବନେଶ୍ବର : ପଦ୍ମ ପୁରସ୍କାର ପାଇଁ ମନୋନୀତ ୪ ଜଣ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ବିଟ୍ କରି ସେ କହିଛନ୍ତି ଯେ ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିଭାଙ୍କୁ ସର୍ବୋତ୍କୃଷ୍ଟ ସମ୍ମାନ ଦେଇଛନ୍ତି। ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଓଡ଼ିଆଙ୍କ ପାଇଁ ଓଡ଼ିଶାବାସୀ ଗର୍ବିତ। ପଦ୍ମ ପୁରସ୍କାର ଆଜି ତୃଣମୂଳ ସ୍ତରରେ ଅସାଧାରଣ କାର୍ୟ୍ୟ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଅବଦାନକୁ ମାନ୍ୟତା ଦେଉଛି। ଦେଶବାସୀ ସେମାନଙ୍କ ସଫଳତାକୁ ମର୍ମେ ମର୍ମେ ଅନୁଭବ କରିବା ସହ ପ୍ରଶଂସା କରୁଛନ୍ତି।
ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ କଳା କ୍ଷେତ୍ରରେ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି ଚରଣ କୁଅଁର ଓ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ୍, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନ୍ତର୍ୟ୍ୟାମୀ ମିଶ୍ର ଏବଂ କୃଷି କ୍ଷେତ୍ରରେ ପଟାୟତ ସାହୁ। ଆସନ୍ତା ମାର୍ଚ୍ଚ/ଏପ୍ରିଲ୍ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷ ହେଲା ୭ ଜଣ ଲେଖାଏ ଓଡ଼ିଆ ପଦ୍ମ ସମ୍ମାନ ପାଉଥିଲେ।
Powered by Froala Editor