ଆଜିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ
ବାଲୁଗାଁ: ଶୀତଦିନ ଆସିଲେ ଚିଲିକାର ସୌନ୍ଦର୍ଯ୍ୟ ଦୁଇଗୁଣିତ ହୋଇଯାଏ । ବିଦେଶରୁ ଉଡ଼ି ଆସନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ । ପକ୍ଷୀ ମାନଙ୍କର ଆଗମନରେ ଆହୁରି ସୁନ୍ଦର ହୋଇଉଠେ ଚିଲିକା । ଆଜିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ବାଲୁଗାଁ ବନଖଣ୍ଡ ଅଧିନରେ ଥିବା ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା ଓ ରମ୍ଭା ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି। ବନ ବିଭାଗର ୨୧ଟି ଟିମ୍ରେ ପ୍ରାୟ ଶହେରୁ ଅଧିକ କର୍ମଚାରୀ ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜଳ ଓ ସ୍ଥଳଭାଗରେ ଗଣନା ପାଇଁ ବାଇନାକୁଲାର ସହ ଜିପିଏସ୍ ଓ କ୍ୟାମେରାର ବ୍ୟବହାର କରାଯାଇଛି। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ ଗଣନା କରାଯାଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୨୧ ତାରିଖରେ ଚିଲିକାରେ ଡଲ୍ଫିନ୍ ଗଣନା ହୋଇଥିଲା। ଗଣନା କାର୍ଯ୍ୟରେ ୧୮ଟି ଟିମ୍ ଲାଗିଥିଲେ। ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ମୋଟର ବୋଟ୍ ସଂଘ ସଦସ୍ୟ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଫଟୋଗ୍ରାଫି ସହ ଜିପିଏସ ଟ୍ରାକିଂ କରାଯାଇ ଗଣନା କରାଯାଇଥିଲା। ବାଇନକୁଳର ଦ୍ୱାରା ଡଲଫିନଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ବନ କର୍ମଚାରୀମାନେ ଡଲଫିନ୍ ସଂଖ୍ୟା ଆକଳନ କରିଥିଲେ।
Powered by Froala Editor