ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ସୁନ୍ଦରଗଡର ଏସବୁ ଅଞ୍ଚଳ

ସୁନ୍ଦରଗଡ଼ ବାଲିସଙ୍କରା ବ୍ଲକ୍ ଲୁଲୁକିଡ଼ିହି ଏବଂ ବନଡେଗାର କିଛି ଅଞ୍ଚଳରେ ସଂକ୍ରମଣ ବଢ଼ୁଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସବୁ ଅଞ୍ଚଳକୁ ନୋ ଆକସେସ୍ ଜୋନ୍ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଏହି କଟକଣା ଜାରି ରହିବ । ଏହା ସହିତ ଯାନବାହନ ଚଳାଚଳ ଏବଂ ଲୋକଙ୍କ ଯାତାୟତ ଉପରେ କଟକଣା ରହିବ । କେବଳ ସ୍ବାସ୍ଥ୍ୟକର୍ମୀ, ଅନୁମତି ପ୍ରାପ୍ତ ଅଧିକାରୀ ଓ ସେବା ଯୋଗାଣକାରୀଙ୍କୁ ଅନୁମତି ରହିଛି । ଏନେଇ ମଙ୍ଗଳବାର ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି ।
ବନଡେଗା ପଞ୍ଚାୟତର ମୂର୍କିଆ ବସ୍ତିପଡାରେ ୧୯ ଜଣ କରୋନା ସଂକ୍ରମିତ ଏବଂ ଉଲଟୁଡ଼ିହି, ଫିଟିଙ୍ଗପଡା ଓ ବସ୍ତିପଡାରେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୁଲ୍କିଡ଼ିହି ହାଇସ୍କୁଲ ନିକଟରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ଦୁଇ ଅଂଚଳର ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ଜଣାପଡିଛି।
ସେପଟେ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି ।