ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅନୁଗୁଳ,: ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ଅବସରରେ ୧୮୦୫ କୋଟି ଟଙ୍କାର ମୋଟ ୨୩ଟି ପ୍ରକଳ୍ପର ଉଦ୍ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଅନୁଗୁଳ ଗସ୍ତରେ ଆସି ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ୟ୍ୟକ୍ରମ ରହିଛି ।
ପ୍ରାୟ ବର୍ଷେ ପରେ ଅନୁଗୁଳକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଶେଷଥର ପାଇଁ ଗତବର୍ଷ ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଦଳୀୟ କର୍ମକର୍ତ୍ତା ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଷ୍ଟାଡିୟମ୍ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ଏଠାରେ ସେ ମୋଟ ୧୮୦୫ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ସେହିପରି ମହିଳା ଏସ୍ଏଚ୍ଜିମାନଙ୍କୁ ମୋଟ ୨୪୨ କୋଟି ଟଙ୍କାର ଋଣ ପ୍ରଦାନ କରିବାର କାର୍ୟ୍ୟକ୍ରମ ରହିଛି । ଏହି କାର୍ୟ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ତାଳଚେର ବଳରାମ ଦେଇ ଅନୁଗୁଳ ପର୍ୟ୍ୟନ୍ତ ନୂତନ ରେଳପଥ ଉଦ୍ଘାଟନ, ସମ୍ବଲପୁର-ସାଲିମାର ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ ।
ସେହିପରି ଗୁରୁବାର ମୋଦି ସରକାରଙ୍କ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଅନୁଗୁଳ ଗସ୍ତରେ ଆସୁଛନ୍ତି । ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମିଳିତ ଭାବେ ଆସିବେ । ବିଜୁ ମୈଦାନସ୍ଥିତ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ଷ୍ଟେସନ୍ ଅଭିମୁଖେ ଯିବେ । ବଳରାମ ଦେଇ ଅନୁଗୁଳ ପର୍ୟ୍ୟନ୍ତ ନୂତନ ରେଳପଥ ଉଦ୍ଘାଟନ, ସମ୍ବଲପୁର-ସାଲିମାର ଏକ୍ସପ୍ରେସ୍ର ଶୁଭାରମ୍ଭ, କେନ୍ଦ୍ରୀୟ ବିଦ୍ୟାଳୟ-୨ର ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନରେ ଯୋଗ ଦେବେ ତିନି କେନ୍ଦ୍ରମନ୍ତ୍ରୀ ।
Powered by Froala Editor