ପ୍ରଚଣ୍ଡ ହେଲେ ନେପାଳର ପ୍ରଧାନମନ୍ତ୍ରୀ
ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ରବିବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ତାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ଦେଇଥିଲେ। ସମ୍ବିଧାନର ଧାରା ୭୬(୨) ଅନୁସାରେ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତୃତୀୟ ଥର ପାଇଁ ସେ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିବା ଜଣାପଡ଼ିଛି।
ପ୍ରଚଣ୍ଡଙ୍କ ପାଇଁ ଦେଶର ୨୭୫ ଏମ୍ପିଙ୍କ ମଧ୍ୟରୁ ୧୬୫ଜଣଙ୍କ ସମର୍ଥନ ରହିଥିଲା। ସରକାର ଗଠନ ପାଇଁ ପ୍ରଚଣ୍ଡଙ୍କ ଦଳ ସିପିଏନ୍-ଏମ୍ସି ପ୍ରଥମେ ଶେର ବାହାଦୂର ଦେଓବାଙ୍କ ନେପାଳୀ କଂଗ୍ରେସ ସହ ମେଣ୍ଟ ଭାଙ୍ଗିଥିଲା। ପରେ ପୂର୍ବତନ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ପାର୍ଟି ସିପିଏନ୍-ୟୁଏମ୍ଏଲ୍ ସହ ମେଣ୍ଟ କରିଥିଲା। ନୂତନ ମେଣ୍ଟର ଦୁଇ ପ୍ରମୁଖ ପାର୍ଟି ମଧ୍ୟରେ ରୋଟେଶନ୍ ନୀତି ଆଧାରରେ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବା ଲାଗି ସହମତି ପ୍ରକାଶ ପାଇଥିଲା।
ବିରୋଧୀ ଦଳ ସିପିଏନ୍-ୟୁଏମ୍ଏଲ୍ ଏବଂ ଅନ୍ୟ ଛୋଟ ଦଳ ଗୁଡ଼ିକ ମିଶି ସିପିଏନ୍-ମାଓବାଦୀ ସେଣ୍ଟରର ଅଧ୍ୟକ୍ଷ ପ୍ରଚଣ୍ଡଙ୍କୁ ସରକାର ଗଠନ ପାଇଁ ସମର୍ଥନ ଦେବାକୁ ରାଜି ହୋଇଥିଲେ। ପାଳିକରି ପ୍ରଧାନମନ୍ତ୍ରୀ ହେବା ନେଇ ପ୍ରଚଣ୍ଡ ଏବଂ କେପି ଶର୍ମା ଓଲିଙ୍କ ମଧ୍ୟରେ ସହମତି ହୋଇଛି। ପ୍ରଥମ ପାଳିରେ ପ୍ରଚଣ୍ଡ ଏବଂ ଦ୍ବିତୀୟ ପାଳିରେ ଓଲି ପ୍ରଧାନମନ୍ତ୍ରୀ ହେବେ।
Powered by Froala Editor