ଜଗା ଦର୍ଶନ ଓ ହୋଟେଲ ରହଣୀ ପାଇଁ ଏଣିକି RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ଜଗା ଦର୍ଶନ ପୂର୍ବରୁ ୧୨ ରାଜ୍ୟର ପର୍ଯ୍ୟଟକଙ୍କ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୭୨ ଘଣ୍ଟା ପୂର୍ବର RT-PCR ନେଗେଟିଭ୍ ରିପୋର୍ଟ ଦେଖାଇଲେ ପର୍ଯ୍ୟଟକ ପୁରୀ ଭିତରକୁ ପ୍ରବେଶ କରିପାରିବେ । ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟର ପର୍ଯ୍ୟଟକ କରୋନା ନେଗେଟିଭ୍ ରିପୋର୍ଟ ନଆଣିଲେ ୭ ଦିନିଆ ହୋମ୍ ଆଇସୋଲେସନରେ ରହିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ଥିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଟେଷ୍ଟ କରାଯିବ। ଆବଶ୍ୟକ ପଡ଼ିଲଲେ RTPCR ଟେଷ୍ଟ ହେବ। ୧୨ ରାଜ୍ୟରୁ ବିନା ଟେଷ୍ଟରେ ଆସିଥିବ ଲୋକଙ୍କର ଷ୍ଟେଶନରେ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ କରାଯିବ। ଏହାସହ ପର୍ଯ୍ୟଟକଙ୍କ ହୋଟେଲ ରହଣୀ ପାଇଁ କରୋନା RTPCR ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ବିନା ରିପୋର୍ଟରେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ । ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀମାନେ ହସ୍ପିଟାଲ ଓ ରେଳ ଷ୍ଟେସନରେ ବୁଲି ସମୀକ୍ଷା କରିଛନ୍ତି ।