ଆତ୍ମହତ୍ୟା ପାଇଁ ଗୋବିନ୍ଦଙ୍କୁ ବାଧ୍ୟ କରାଗଲା:ବିଜେପି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ମାମଲାରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା । ଆତ୍ମହତ୍ୟା ପାଇଁ ତାଙ୍କୁ ବାଧ୍ୟ କରାଗଲା । ଏହି ମାମଲାରେ ଚର୍ଚ୍ଚାକୁ ଆସିଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନଚିଟ ଦେବା ପାଇଁ ଉଦ୍ୟମ କରାଯାଇଥିବା ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏପରିକି ଗୋବିନ୍ଦ ସାହୁ ମରିଲେ ନା ତାଙ୍କୁ ମରିବାକୁ ବାଧ୍ୟ କରାଗଲା ବୋଲି ପ୍ରଶ୍ନ କରି ଏହାର ତଦନ୍ତ ହେବା ଦରକାର ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ପ୍ରକାଶଯେ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ଜଣାଯାଇଛି । କଣ୍ଟାବାଞ୍ଜି ଜେଲ ଭିତରେ ଥିବାବେଳେ ସେ ଏକ ଛୋଟ ଗଛରେ ଗାମୁଛାରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଜଣାପଡ଼ିବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାଯାଇଛି ।
ତେବେ ଜେଲ ଭିତରେ ଜଣେ ବିଚାରାଧୀନ କଏଦୀ ଏଭଳି ପଦକ୍ଷେପ ଗ୍ରହଣ କରିବା ଜେଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋବିନ୍ଦ ଗାମୁଛା ନେଇ କେମିତି ଗଛ ପାଖକୁ ଯାଇ ଆତ୍ମହତ୍ୟା କଲେ କେମିତି, ଆତ୍ମହତ୍ୟା କରିବା ବେଳେ କେହି କ’ଣ ଦେଖି ପାରିଲେନି ବୋଲି ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଆଜି ଗୋବିନ୍ଦଙ୍କୁ କୋର୍ଟରେ ହାଜର କରାଇବାର ଥିଲା ବୋଲି ସୂଚନା ମିଳିଛି ।
ତେବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ମମିତା ମେହେର ହତ୍ୟା ମାମଲା ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାରେ ଶେଷ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ଗୋବିନ୍ଦ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ । ମମିତା ମେହେର ହତ୍ୟାକୁ ନେଇ ସାରା ରାଜ୍ୟ ସରଗରମ ହୋଇଯାଇଥିଲା । ଏହି ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଛନ୍ଦି ହୋଇପଡ଼ିଥିଲେ । ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ଇସ୍ୟୁ କରିବାରୁ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୮ତାରିଖରେ ମହାଲିଙ୍ଗ ସ୍ଥିତ ସନ୍ସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯାଇଥିଲେ । ଅନେକ ବାଦବିବାଦ ପରେ ଅକ୍ଟୋବର ୧୩ତାରିଖରେ ସିନ୍ଧେକଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା । ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଘରୁ ଥାନାକୁ ଉଠାଇ ଆଣି ପଚରାଉଚୁରା କରିଥିଲା । ଗତ ଅକ୍ଟୋବର ୧୭ତାରିଖରେ ଅଟକ ଥିବା ଅବସ୍ଥାରେ ଗୋବିନ୍ଦ ଟିଟିଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଥିଲା । ଏହାପରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଗୋବିନ୍ଦକୁ ଖୋଜିବା ସହ ତା’ନାଁରେ ପୁରସ୍କାର ରାଶି ଘୋଷଣା କରିଥିଲା ।
ଅପରପକ୍ଷେ ଅକ୍ଟୋବର ୧୯ତାରିଖରେ ମହାଲିଙ୍ଗସ୍ଥିତ ନିର୍ମାଣାଧିନ ଷ୍ଟାଡ଼ିୟମ ଭିତରୁ ମମିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଏବଂ କେତେକ ଅଧପୋଡ଼ା ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା । ଏଣେ ପୁଲିସ ଏକ ଆଖୁକିଆରୀରୁ ଗୋବିନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
Powered by Froala Editor