ମୁମ୍ବାଇରେ ଶୀତ ଗାଏବ, ଗରମରେ ସିଝୁଛନ୍ତି ଲୋକେ
ମାୟାନଗରୀ ମୁମ୍ବାଇରେ ଥଣ୍ଡା ଗାଏବ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସହରର ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ କରାଯାଇଛି। ପାଣିପାଗ ବିଭାଗର କହିବା ଅନୁସାରେ ଆରବ ସାଗରରେ ଲଘୁଚାପ ଯୋଗୁ ପବନର ଗତି ବଦଳିଯାଇଛି ଏବଂ ଦକ୍ଷିଣପୂର୍ବ ଆଡ଼କୁ ଏହା ପ୍ରବାହିତ ହେଉଛି। ଆଉ କିଛିଦିନ ଏହି ସ୍ଥିତି ଜାରି ରହିବ।
ଗୁରୁବାର ତାପମାତ୍ରା ଥିଲା ୩୪.୯ ଡିଗ୍ରି, ଯାହା ମହାରାଷ୍ଟ୍ରରେ ସର୍ବାଧିକ। ମହାରାଷ୍ଟ୍ରର ଅନ୍ୟ ସହରଗୁଡ଼ିକ ଯଥା ରତ୍ନଗିରିରେ ତାପମାତ୍ରା ୩୫.୪ ଡିଗ୍ରି, ପୁନେରେ ୩୨.୩ ଡିଗ୍ରି ଓ ଦହନୁରେ ୩୧.୮ ଡିଗ୍ରି ହୋଇଥିଲା। ଏପରି କି ସାନ୍ତାକ୍ରୁଜ ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ୨୩ ଡିଗ୍ରି ରେକର୍ଡ କରାଯାଇଥିଲା।
ତେବେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ସହର ଭିତର ଓ ଆଖପାଖ ଅଞ୍ଚଳରେ ଥିବା ଜଳାଶୟ ପୋତି ଘର କରାଯାଉଥିବାରୁ ଏବଂ ରାସ୍ତା, ଘର ଓ କଳକାରଖାନା ପାଇଁ ବ୍ୟାପକ ଗଛ କଟାଯାଉଥିବାରୁ ମୁମ୍ବାଇ ଓ ମହାରାଷ୍ଟ୍ରରରେ ଶୀତଦିନରେ ମଧ୍ୟ ଗ୍ରୀଷ୍ମର ଅନୁଭବ ହେଉଛି। ବିଶେଷ କରି ଶୀତ ଦିନେ ଏତେ ତାପମାତ୍ରା ସମସ୍ତଙ୍କୁ ଚକିତ କରିଛି । ତେବେ ଖରାଦିନେ କ’ଣ ଅବସ୍ଥା ହେବ ବୋଲି କଳ୍ପନା କରିହେଉନି ।
Powered by Froala Editor