ପଦ୍ମପୁର ଉପନିର୍ବାଚନରେ ୮୧.୨୯ ପ୍ରତିଶତ ମତଦାନ
ପଦ୍ମପୁର ଉପନିର୍ବାଚନ ପାଇଁ କଡ଼ାସୁରକ୍ଷା ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ମତଦାନ ହାର ୮୧.୨୯ ପ୍ରତିଶତ ମତଦାନ । ଏହାସହିତ ବିଜେଡି, ବିଜେପି ଓ କଂଗ୍ରେସର ୩ ପ୍ରାର୍ଥୀଙ୍କ ସମେତ ମୋଟ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତା ୮ତାରିଖରେ ୧୪ଟି ଟେବୁଲରେ ପ୍ରାୟ ୨୩ ରାଉଣ୍ଡରେ ଏହି ଭୋଟ୍ ଗଣତି କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିି ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନ ପାଇଁ ହାଇଭୋଲଟେଜ୍ ପ୍ରଚାର ଓ ବିଜେଡି-ବିଜେପି ମଧ୍ୟରେ ଜୋରଦାର ଛକାପଞ୍ଝା ମଧ୍ୟରେ ମତଦାନ ଶେଷ ହୋଇଛି । ୬ଟି ପିଙ୍କ ବୁଥ୍ ସମେତ ମୋଟ ୩୧୯ଟି ବୁଥରେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବାର ଥିଲେ ମଧ୍ୟ ଭୋଟରଙ୍କ ମଧ୍ୟରେ ଉତ୍ସାହ ଯୋଗୁ ମତଦାନ ପ୍ରାୟ ସାଢ଼େ ୬ଟା ପର୍ୟ୍ୟନ୍ତ ଜାରି ରହିଥିଲା ।
ତେବେ ଝାରବନ୍ଧ ବ୍ଲକର ୨ ନମ୍ବର ବୁଥରେ ଇଭିଏମ୍ ମେସିନ ଖରାପ ଯୋଗୁ ପ୍ରାୟ ୨ଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା । ସେହିପରି ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ପାଇକମାଳ ବ୍ଲକର ଛେଳିଆମାଲ ସମେତ ପଲସଦା ଓ ସାରସମାଲ ବୁଥରେ ସାମାନ୍ୟ ଉତ୍ତେଜନା ଲାଗି ରହିଥିଲା । ମାଓପ୍ରବଣ ଅଂଚଳରେ ମତଦାନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପୁଲିସ ପକ୍ଷରୁ ବାଇକ୍ ପାଟ୍ରୋଲିଂ ଓ କମ୍ବିଂ ଅପରେସନ୍ ମଧ୍ୟ ହୋଇଥିଲା । ମୋଟ ୧୪୧୩ଜଣ ପୁଲିସ କର୍ମୀଙ୍କ ସମେତ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସକୁ ନିର୍ବାଚନ କାର୍ୟ୍ୟରେ ମୁତୟନ କରାଯାଇଥିଲା । କଂଗ୍ରେସ, ବିଜେପି ଓ ବିଜେଡିର ପ୍ରାର୍ଥୀମାନେ ନିଜ ନିଜ ବୁଥକୁ ଯାଇ ମତଦାନ କରିଛନ୍ତି ।
ମତଦାନ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ମୋନିଷା ବାନାର୍ଜୀ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ଆସନ୍ତା ୮ତାରିଖରେ ଭୋଟିଂ ନିମନ୍ତେ ପ୍ରଶାସନ ପକ୍ଷରୁ ୧୪ଟି ଟେବୁଲ ଓ ୨୩ ରାଉଣ୍ଡର ଗଣତି ପାଇଁ ବ୍ୟବସ୍ଥା ହୋଇଛି । ସୂଚନାଯୋଗ୍ୟ, ପଦ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରାୟ ୨.୫୭ଲକ୍ଷ ଭୋଟର ଅଛନ୍ତି । ୨୦୧୯ରେ ପଦ୍ମପୁରରେ ୭୯.୦୫% ଭୋଟ୍ ପଡ଼ିଥିଲା।
Powered by Froala Editor