ରାଜ୍ୟରେ ବିଦୁ୍ୟତ ଦର ବୃଦ୍ଧିକୁ ନେଇ ପିଆଇଏଲରେ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ବିଦୁ୍ୟତ ଦର ବୃଦ୍ଧିକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ସୁରେନ୍ଦ୍ର ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଏହି ମାମଲା ରୁଜୁ କରିଛନ୍ତି । ବିଦୁ୍ୟତ ଦର ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ପାଣିଗ୍ରାହୀ ଉକ୍ତ ପିଆଇଏଲରେ ଆବେଦନ କରିଛନ୍ତି । ଏହି ମାମଲାରେ ରାଜ୍ୟ ସରକାର, ଓଇଆରସି ସହ ୧୧ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ପ୍ରକାଶ ଯେ, କରୋନା ସମୟରେ ବଢିଛି ବିଦୁ୍ୟତ ଦର । ରାଜ୍ୟରେ ବିଦୁ୍ୟତ ଦର ବୃଦ୍ଧିକୁ ଓଇଆରସି ମଞ୍ଜୁରୀ ପ୍ରଦାନ କରିଛନ୍ତି । କିଲୋୱାଟ(ୟୁନିଟ) ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧିକୁ ଓଇଆରସି ମଞ୍ଜୁରୀ ପ୍ରଦାନ କରିଛନ୍ତି । ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ପାଇଛି ।
ଏଣିକି ପ୍ରଥମ ୫୦ ୟୁନିଟକୁ ଦର ୟୁନିଟ ପିଛା ୩ଟଙ୍କା
୫୧ରୁ ୨୦୦ ୟୁନିଟ ୪ଟଙ୍କା ୮୦ ପଇସା
୨୦୧ରୁ ୪୦୦ ୟୁନିଟ ୫ଟଙ୍କା ୮୦ ପଇସା
୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ଦର ୬ଟଙ୍କା ୨୦ ପଇସା
ତେବେ ବିପିଏଲ ଓ ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବର୍ତ୍ତିତ ରହିଛି । ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି । ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ୨% ରିହାତି କରାଯାଇଛି । ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ । ସମସ୍ତ ପ୍ରି-ପେଡ ଉପଭୋକ୍ତାଙ୍କୁ ମଧ୍ୟ ରିହାତି ମିଳିବ ।