ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ : ଓସିଏ ସଭାପତି ହେଲେ ପ୍ରଣବ ପ୍ରକାଶ

ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍ର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଛି । ନାମ ଘୋଷଣା କଲେ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର । ଓସିଏର ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାଶ । ଉପସଭାପତି ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି । ସଞ୍ଜୟ ବେହେରା ପୁଣି ହୋଇଛନ୍ତି ଓସିଏ ସମ୍ପାଦକ । କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚନ ପାଇଁ ପ୍ରଣବ ଏକମାତ୍ର ସଭାପତି ପ୍ରାର୍ଥୀଭାବେ ନାମାଙ୍କନ ଭରିଥିଲେ । ଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ବେହେରାଙ୍କ ପ୍ୟାନେଲର 6 ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପଦ ପାଇଁ ସଂଜୟ ବେହେରା, କୋଷାଧକ୍ଷ ପଦ ପାଇଁ ବିକାଶ ପ୍ରଧାନ, ସହ ସମ୍ପାଦକ ପାଇଁ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ ।
ଦାୟିତ୍ୱ ନେବା ପରେ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ବାରବାଟୀ ଷ୍ଟାଡିୟମ ସହ ରାଜ୍ୟର ୩୦ ଜିଲ୍ଲାରେ କ୍ରିକେଟର ଉନ୍ନତି ପାଇଁ କାମ କରିବୁ । ତୃଣମୂଳ ସ୍ତରରେ କ୍ରିକେଟକୁ ଆଗକୁ ନିଆଯିବ । ସମସ୍ତ ଜିଲ୍ଲାର କ୍ରୀଡା ସଂଘର ସହଯୋଗରେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କ୍ରୀଡ଼ାର ବିକାଶ ପାଇଁ ସବୁବେଳେ ପ୍ରୟାସ କରୁଛନ୍ତି । କ୍ରିକେଟ ଓ ବାରବାଟୀ ଷ୍ଟାଡିୟମକୁ ନେଇ ଅନେକ ଯୋଜନା ରହିଛି ବୋଲି କହିଛନ୍ତି ଓସିଏ ସଭାପତି । ଅନ୍ୟପଟେ ସଞ୍ଜୟ ବେହେରା କହିଛନ୍ତି, ଗ୍ରାମାଞ୍ଚଳରେ କ୍ରିକେଟର ବିକାଶ ପାଇଁ ଯୋଜନା ପ୍ରସ୍ତୁତି ହେଉଛି ।
Powered by Froala Editor