ଟ୍ରସ୍ଙ୍କ ଟିମ୍ ଆଉଟ୍, ନୂଆ କ୍ୟାବିନେଟ୍ ଗଢ଼ିଲେ ଋଷି ସୁନକ
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଯୁକ୍ତିର ଏକ ଘଣ୍ଟା ଭିତରେ ଲିଜ୍ ଟ୍ରସଙ୍କ ମନ୍ତ୍ରୀଙ୍କୁ ଟିମକୁ ବାହାର କରିଛନ୍ତି । ଟ୍ରସଙ୍କ ମନ୍ତ୍ରିମଣ୍ଡଳରେ ଥିବା ଏକାଧିକ ସଦସ୍ୟଙ୍କୁ ନୂଆ ପ୍ରଧାନମନ୍ତ୍ରୀ ସୁନକ ଇସ୍ତଫା ଦେବାକୁ କହିଛନ୍ତି। ଏଥିସହ ଡୋମିନିକ ରାବଙ୍କୁ ନିଜର ଡେପୁଟି ଭାବେ ନିଯୁକ୍ତି ଦେଇଛନ୍ତି। ଏହାର ଅର୍ଥ ଡୋମିନିକ ବ୍ରିଟେନ ଉପ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଡୋମିନିକ ପୂର୍ବରୁ ବୋରିସ ଜନଜନସଙ୍କ ଶାସନ ସମୟରେ ତାଙ୍କୁ ଡେପୁଟି ଭାବେ କାମ କରୁଥିଲେ। ଏହି ସମୟରେ ସୁନକ ଅର୍ଥମନ୍ତ୍ରୀ ଥିଲେ। ହେଲେ ସୁନକ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଡୋମିନିକ ପୁଣି ଡେପୁଟି ପଦ ହାସଲ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଚାରି ମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ କୁହାଯାଇଛି । ସୂତ୍ର ଅନୁସାରେ, ଏଥିରେ ବାଣିଜ୍ୟ ସଚିବ ଜ୍ୟାକବ ରିସ-ମୋଗ, ଆଇନ ମନ୍ତ୍ରୀ ବ୍ରାଣ୍ଡନ ଲୁଇସ, କାର୍ଯ୍ୟ ଏବଂ ପେନସନ ସଚିବ କ୍ଲୋ ସ୍ମିଥ ଏବଂ ବିକାଶ ମନ୍ତ୍ରୀ ବକ୍କୀ ଫୋର୍ଡ ସାମିଲ ଅଛନ୍ତି ।
ଋଷି ସୁନକ ନିଜ ନୂଆ କ୍ୟାବିନେଟର ଘୋଷଣା କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ଟ୍ୱିଟରୁ ଟ୍ୱିଟ କରାଯାଇଛି ଯେ, ଜେରିମି ହଣ୍ଟ ଦେଶର ଅର୍ଥ ପଦରେ ରହିବେ । ଏହାସହ ଡୋମିନିକ ରାବଙ୍କୁ ଦେଶର ଉପପ୍ରଧାନମନ୍ତ୍ରୀ ଏବଂ ନ୍ୟାୟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ଜେମ୍ସ କ୍ଲେଭରଲୀଙ୍କୁ ପୁଣିଥରେ ସୁନକ ବ୍ରିଟେନର ବୈଦେଶିକ, କମନୱେଲ୍ଥ ଓ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି। ସିମନ ହାର୍ଟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ କଞ୍ଜରଭେଟିଭ ପାର୍ଟିର ମୁଖ୍ୟ ସଚେତକ ଦାୟିତ୍ୱ ପାଇଛନ୍ତି। ନଦହିମ ଜହାୱିଙ୍କୁ କୌଣସି ବିଭାଗ ଏଯାଏ ଆବଣ୍ଟନ କରାଯାଇନି। ଟ୍ରସଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା ବିଭାଗ ସମ୍ଭାଳୁଥିବା ବେନ ୱାଲ୍ଲେକଙ୍କୁ ପୁଣି ସମାନ ଦାୟିତ୍ୱ ସୁନକ ଦେଇଛନ୍ତି।
ଋଷି ସୁନକ ମଙ୍ଗଳବାର ବ୍ରିଟେନ କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ଭେଟିଥିଲେ । ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ କିଙ୍ଗ ଚାର୍ଲ୍ସ ନିଯୁକ୍ତି ଦେଇଥିଲେ ।
Powered by Froala Editor