ପିତୃପୁରୁଷଙ୍କ ଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼
ପୁରୀ: ଆଜି ଆଲୋକର ପର୍ବ ଦୀପାବଳି। ଆଜି ବି ହେଉଛି କାର୍ତ୍ତିକ ମାସର ଅମାବାସ୍ୟା ତିଥି। ଆଜିର ତିଥିରେ ପୟା ଶ୍ରାଦ୍ଧ ପଡ଼େ। ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଜି ବଡ଼ବଡ଼ିଆ ଡକାଯିବାର ପରମ୍ପରା ରହିଛି।
ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିନଥାନ୍ତି ସେମାନେ ଆଜିର ଦିନରେ ପିଣ୍ଡଦାନ କରିଥାନ୍ତି। ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି। ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଏଣେ ଦୁଇ ବର୍ଷ ପରେ କରୋନା କଟକଣା ନଥିବାରୁ ସାରା ରାଜ୍ୟରେ ଦୀପାବଳି ଧୁମଧାମରେ ପାଳିତ ହେଉଛି। ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି ।
ତେଣେ ଆସନ୍ତା ୨୫ ତାରିଖରେ ସୂର୍ୟ୍ୟୋପରାଗ। ଏନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି। ୨୫ ତାରିଖର ନିତିକାନ୍ତି ଆସନ୍ତାକାଲି ରାତିରୁ ଆରମ୍ଭ ହେବ। ରାତି ୧୨ଟାରେ ଦ୍ୱାରଫିଟା ନିତି ହୋଇ ୪ଟା ୫୫ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନିତି ଶେଷ ହେବା ସହ ଅବଢା ରୋଷେଇ ବି ସରିବ। ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ଭକ୍ତ। ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ବଡ଼ବଡ଼ୁଆ ଡାକିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। କାକୁଡ଼ି ଖାଇ ମନ୍ଦିର ଓ ମଙ୍ଗୁ ମଠ ଭିତରେ ୫ଟି ସ୍ଥାନ ନିରୂପଣ ହୋଇଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।
Powered by Froala Editor