ଭାରତୀୟ ଟିମ୍ ଦେଲା ଦୀପାବଳି ଭେଟି : ପାକିସ୍ତାନ ୪ ୱିକେଟରେ ହାରିଲା
ଟି-ଟ୍ୱେଣ୍ଟି ବିଶ୍ୱକପ୍ର ମ୍ୟାଚ୍ରେ ଆଜି ପାକିସ୍ତାନକୁ ୪ ୱିକେଟରେ ହରାଇ ଭାରତ ବିଜୟୀ ହୋଇଛି। ଭାରତ ଓ ପାକିସ୍ତାନ ମ୍ୟାଚ୍ ଖୁବ୍ ରୋମାଞ୍ଚକର ହୋଇଥିଲା। ବିରାଟ କୋହଲି ଖେଳିଥିବା ଇନିଂସକୁ ତାଙ୍କର କ୍ୟାରିୟରର ଏକ ଶ୍ରେଷ୍ଠ ଇନିଂସ ଭାବେ ଦେଖାଯାଉଛି । ପାକିସ୍ତାନର ବିଶ୍ବସ୍ତରୀୟ ବୋଲିଂ ଆକ୍ରମଣ ବିପକ୍ଷରେ ଆଜି ସେ ଖେଳିଥିବା ୮୨ ରନର ଇନିଂସକୁ କେବଳ ପ୍ରସଂଶକ ନୁହନ୍ତି, ସମାଲୋଚକମାନେ ବି ପ୍ରସଂଶା କରୁଛନ୍ତି ।
ତାଙ୍କର ଏହି ଇନିଂସକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରସଂଶା କରିଛନ୍ତି । ଏକ ଟୁଇଟ କରି ସେ ଲେଖିଛନ୍ତି, ଯେ ଏହା ହେଉଛି ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଇନିଂସ ।
ଏହି ବିଜୟରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ କରିଛି।
ଭାରତୀୟ ଟିମ୍ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ) ଓ କେଏଲ୍ ରାହୁଲ (ଉପ-ଅଧିନାୟକ) ୪ ରନ୍ ଲେଖାଏ କରି ଆଉଟ ହୋଇଥିଲେ। ସେମାନଙ୍କ ପରେ ଆସିଥିବା ବିରାଟ କୋହଲି ଅପରାଜିତ ୮୨ରନ୍(୫୩ବଲ୍, ୬ ଚୌକା, ୪ଛକା), ସୂର୍ଯ୍ୟକୁମାର ଯାଦବ ୧୫ ରନ୍, ଅକ୍ଷର ପଟେଲ ୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍(୩୭ ବଲ୍, ୧ ଚୌକା, ୨ ଛକା), ଦୀନେଶ କାର୍ତ୍ତିକ (ୱିକେଟ୍ କିପର) ୧ ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧ ରନ୍ କରିଥିଲେ।
ପାକିସ୍ତାନ ପକ୍ଷରୁ ହରିସ ରୌଫ ଓ ମହମ୍ମଦ ନୱାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ନସୀମ ଶାହ ଗୋଟିଏ ୱିକେଟ ନେଇଥିଲେ। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା। ପରେ ଭାରତୀୟ ଟିମ୍ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୧୬୦ ରନ୍ କରି ନେଇଥିଲା।
ବିଜୟ ଲକ୍ଷ୍ୟକୁ ପିଛା କରି ଏକଦା ଭାରତୀୟ ଟିମ୍ ୩୧ ରନ୍ରେ ଚତୁର୍ଥ ଓ୍ୱିକେଟ ହରାଇଥିଲା। ଶେଷ ୩ ଓଭରରେ ୪୮ ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା। ପାକିସ୍ତାନ ବିପକ୍ଷରେ ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇଛି। ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀ ଏହି ବିଜୟକୁ ନେଇ ଉତ୍ସବ ପାଳନ କରିଛନ୍ତି।
Powered by Froala Editor