‘ଆଇନା କେବେ ମିଛ କହେନା’ରେ ପୁଣି ଯୋଡ଼ି ହେଲେ ଶ୍ରୀତମ୍-ଅଭିଜିତ୍
ଭୁବନେଶ୍ୱର: ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ଯୋଡ଼ି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ସବୁବେଳେ ଚର୍ଚ୍ଚାରେ । ଏ ଦୁଇଜଣ ବିଗତ ଦିନରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ହିଟ୍ ଫିଲ୍ମ । କେବଳ ସେତିକି ନୁହେଁ, ଏମାନଙ୍କ ବ୍ୟକ୍ତିଗତ ସମ୍ପର୍କ ଠାରୁ ଆରମ୍ଭ କରି କ୍ୟାରିଅର ପର୍ଯ୍ୟନ୍ତ ସବୁଥିରେ ରହିଛି କ୍ଷୀର-ନୀର ଭାବ । ତେବେ ଫିଲ୍ମ ମହାବାହୁରେ ଶ୍ରୀତମ୍ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତଙ୍କ ବଦଳରେ ପ୍ରେମ ଆନନ୍ଦଙ୍କୁ ନେଇଥିଲେ । ଯାହାକି ଉଭୟଙ୍କ ଯୋଡ଼ି ଭାଙ୍ଗି ଗଲା ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ଏସବୁ ଭୁଲ୍ ପ୍ରମାଣିତ ହୋଇଛି । ପୁଣି ଥରେ ସେମାନେ ଏକାଠି ହୋଇଛି । ଚଳଚ୍ଚିତ୍ର ‘ଆଇନା କେବେ ମିଛ କୁହେନା’ରେ ଶ୍ରୀତମ୍ ନିର୍ଦ୍ଦେଶନା ଦେଉଥିବା ବେଳେ ସ୍ୱର ସଂଯୋଜକ ହୋଇଛନ୍ତି ଅଭିଜିତ ମଜୁମଦାର ।
ଏହି ସିନେମାର ଗୀତିକାର ହେଲେ ନିର୍ମଳ ନାୟକ । ଚିନ୍ମୟ ଦାସ ପଟ୍ଟନାୟକ ଏହାର କାହାଣୀ ଓ ସଂଳାପ ଲେଖିଛନ୍ତି । ଏଥିରେ ଦୀପକ, ନବାଗତା ମୁସ୍କାନ୍, ସୁକାନ୍ତ ରଥ, ହରି, ଐଶ୍ୱର୍ଯ୍ୟା, ସରୋଜ ଦାସ ଓ ଅଶୋକ ଦାସ ପ୍ରମୁଖ ଅଭିନୟ କରୁଛନ୍ତି । ଆଶିଷ ସିହ୍ନା ଏହାର ପ୍ରଯୋଜକ ।
ସୂଚନାଯୋଗ୍ୟ, ଅଭିଜିତ ମଜୁମଦାରଙ୍କ ପ୍ରଥମ ସ୍ୱରାରୋପିତ ଓଡ଼ିଆ ଛବି କାଶିଆ କପିଳାର ନାୟକ ଥିଲେ ଶ୍ରୀତମ୍ ଦାସ । ଠିକ୍ ସେହିପରି ଅଭିନେତାରୁ ନିର୍ଦ୍ଦେଶକ ସାଜି ଶ୍ରୀତମ୍ ଦାସ ଯେତେବେଳେ ପ୍ରଥମ ସିନେମା ତୁ ଥା ମୁଁ ଯାଉଛି ରୁଷି ନିର୍ମାଣ କଲେ ସେଥିରେ ଅଭିଜିତ ମଜୁମଦାରଙ୍କୁ ସ୍ୱର ସଂଯୋଜନାର ଦାୟିତ୍ୱ ଦେଇଥିଲେ । ଏହାପରେ ପୁଣି ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ଦିୱାନା ହେଲି ତୋ ପାଇଁରେ ଶ୍ରୀତମ୍ ଦାସ ଅଭିଜିତ ମଜୁମଦାରଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ନେଇଥିଲେ । ଏହାପରେ ସେମାନେ ଅଲଗା ହୋଇ ଯାଇଥିଲେ । ଏବେ ପୁଣି ଥରେ ଏକାଠି କାମ କରିବାର ସୁଯୋଗ ମିଳିଥିବାରୁ ଉଭୟ ଫିଲ୍ମକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି । ଏହା ଦର୍ଶକଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ ବୋଲି କହିଛନ୍ତି ।
Powered by Froala Editor