ଦୀପାବଳିରେ ଆସିପାରେ ଓମିକ୍ରନ୍ର ମାରାତ୍ମକ ଭାରିଆଣ୍ଟ : ଟୀକାକରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେବାରେ ବି ସକ୍ଷମ

ଦେଶରେ କୋଭିଡ୍ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଓମିକ୍ରନ୍ର ଆଉ ଏକ ନୂଆ ସବ୍ଭାରିଆଣ୍ଟ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଦୀପାବଳି ବେଳକୁ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ିପାରେ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ଓମିକ୍ରନର ନୂଆ ସବ୍-ଭାରିଆଣ୍ଟସ୍ ba.5.1.7 ଓ bf.7 ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଛି । ସେଥିପାଇଁ ପାର୍ବଣ ଋତୁରେ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।
ଗୁଜରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ବିଏଫ୍.୭ର ପ୍ରଥମ ମାମଲା ଠାବ କରିଛି। ଚାଇନାର ମଙ୍ଗୋଲିଆରେ ପ୍ରଥମେ ba.5.1.7 ଓ bf.7 ଚିହ୍ନଟ ହେବା ପରେ ଏହା ଅନ୍ୟ ଦେଶକୁ ବ୍ୟାପି ସାନି ବିପଦ ସୃଷ୍ଟି କରିଛି। ଏହି ନୂତନ ସବ୍-ଭାରିଆଣ୍ଟ ଏତେ ସଂକ୍ରାମକ ଯେ, ଯାହା ଟୀକାକରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେବାରେ ବି ସକ୍ଷମ । ଫଳରେ ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳି ସହ ଧନତେରାସ୍, ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୂଜ ଭଳି ଉତ୍ସବରେ ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯାଉଛି ।
ଚାଇନାରେ ନିକଟରେ ସଂକ୍ରମଣ ବୃଦ୍ଧି ପାଇବାର କାରଣ ଏହି ଦୁଇ ସବ୍ଭାରିଆଣ୍ଟ ବୋଲି କୁହାଯାଉଛି। ଏହା ଅତି ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ବେଳେ ଏବେ ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ବେଲ୍ଜିୟମ ପ୍ରଭୃତି ଦେଶକୁ ବ୍ୟାପିସାରିଲାଣି।
Powered by Froala Editor