ଚାଷୀଙ୍କୁ ଦିପାବଳୀ ଭେଟି : ୧୬ ହଜାର କୋଟି ଟଙ୍କା ଟ୍ରାନ୍ସଫର କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅର୍ଥାତ ପିଏମ କିଷାନର ୧୨ମ କିସ୍ତି ହସ୍ତାନ୍ତର କରାଯାଇଛି । ଦ୍ବାଦଶ କିସ୍ତିରେ ହିତାଧିକାରୀ କୃଷକମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ପ୍ରାୟ ୧୬,୦୦୦ କୋଟି ଟଙ୍କା ଟ୍ରାନ୍ସ୍ଫର୍ କରିଛନ୍ତି। ଏହି ଯୋଜନାରେ ଦେଶର ୧୧ କୋଟି କୃଷକ ଉପକୃତ ହେଉଛନ୍ତି।
ଆଜି ଜାତୀୟ ରାଜଧାନୀ ଅନ୍ତର୍ଗତ ପୁଷ୍ପା କ୍ୟାମ୍ପସ୍ରେ ଆୟୋଜିତ ଦୁଇଦିନିଆ ‘ପିଏମ୍ କିଷାନ୍ ସମ୍ମାନ ସମ୍ମିଳନୀ ୨୦୨୨’ରେ ଉପରୋକ୍ତ କିସ୍ତି ଟ୍ରାନ୍ସ୍ଫର୍ କରିଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ରସାୟନ ଓ ସାର ମନ୍ତ୍ରୀ ମନସୁଖ ମଣ୍ଡାଭୀୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ଆସିଥିବା ୧୩,୫୦୦ କୃଷକ ଓ ପ୍ରାୟ ୧୫୦୦ ‘ଏଗ୍ରି-ଷ୍ଟର୍ଟଅପ୍’ ଅଂଶ ଗ୍ରହଣ କରିଛନ୍ତି। ଏହାଛଡ଼ା, ଗବେଷକ, ଯୋଜନାକାରୀ ଓ ଅନ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ପିଏମ-କିଷାନ ଯୋଜନାରେ ସରକାର ପ୍ରତି ବର୍ଷ ଆର୍ଥିକ ରୂପେ ଦୁର୍ବଳ ଚାଷୀଙ୍କୁ ବର୍ଷକୁ ଦୁଇ ହଜାର ଲେଖାଏଁ ତିନୋଟି କିସ୍ତିରେ ୬୦୦୦ ଟଙ୍କାର ସହାୟତା ଯୋଗାଇଥାନ୍ତି । ସରକାରୀ ପରିସଂଖ୍ୟାନ ଅନୁସାରେ ପିଏମ-କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟ୍ରାନ୍ସଫର କରାଯାଇଛି।
Powered by Froala Editor