କିପରି ପ୍ରସ୍ତୁତ କରିବେ ଓଡିଆଙ୍କ ସ୍ପେଶାଲ ହବିଷ ଡାଲମା ଜାଣନ୍ତୁ
ଓଡ଼ିଆଙ୍କ ପ୍ରମୁଖ ଖାଦ୍ୟ ହେଉଛି ଡାଲମା । ଡାଲମା କଥା କହିଲା ମାନେ ମନରେ କୌଣସି ପରମ୍ପରା କଥା ଧ୍ୟାନକୁ ପ୍ରଥମେ ଆସେ । କାରଣ ପ୍ରତି ଓଡିଆଙ୍କ ଅତି ପ୍ରିୟ ଡାଲମା ମନ୍ଦିରର ବାଡିଆ ଡାଲମା ହେଉ ଅବା କାତ୍ତିର୍କ ମାସରେ ପ୍ରସ୍ତୁତ ହେଉଥିବା ସ୍ପେଶାଲ ହବିଷ ଡାଲମା, ସବୁ ସ୍ୱାଦରେ ଥାଏ ଏକଦମ ବଢ଼ିଆ ।
ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ । ପୁରା ମାସ ସାରା ହବିଷ୍ୟାଳୀ ଭଗବାନ ବିଷ୍ଣୁଙ୍କ ପାଇଁ ଓଷା କରି ହବିଷ ଖାଦ୍ୟ ଖାଉଥିବା ବେଳେ ଅନ୍ୟମାନେ ଖାସ କରି ସୋମବାର ଦିନ ମହାଦେବଙ୍କ ସୋମନାଥ ବ୍ରତ କରି ହବିଷ ଖାଦ୍ୟ ଖାଇଥାନ୍ତି । ତେବେ ଆଉ ଡେରି ନକରି ଆଜି ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଓଡିଆଙ୍କ ସ୍ପେଶାଲ ହବିଷ ଡାଲମା ।
ଆବଶ୍ୟକ ସାମଗ୍ରୀ:
ପାଣି କଖାରୁ, ଅଉ, ମୁଗ ଡାଲି, କଞ୍ଚା କଦଳୀ, ସାରୁ, ସୁଖିଲା ଲଙ୍କା, ଆଳୁ, ଗୋଟା ଜିରା, ନଡିଆ କୋରା, ଫୁଟଣ, ୩ ରୁ ୪ ଚାମଚ ଦେଶୀ ଘିଅ , ପାଣି ଆବଶ୍ୟକ ଅନୁସାରେ ଏବଂ ଲୁଣ ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆପଣ ଆବଶ୍ୟକ ପରିମାଣର ପାଣି ଗରମ କରନ୍ତୁ । ପାଣି ଫୁଟିଯିବା ଆରମ୍ଭ କଲେ ପାଣିରେ ମୁଗ ଡାଲି ପକାଇ ଫୁଟାନ୍ତୁ । ଏହାକୁ ୧୫ ମିନିଟ୍ ଫୁଟାଇବା ପରେ କାଟି ରଖିଥିବା ଅନ୍ୟ ପରିବା ସବୁକୁ ପକାଇ ଦିଅନ୍ତୁ । ମିଡିୟମ ଫ୍ଲେମରେ ଏହାକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ମନେ ରଖନ୍ତୁ ହବିଷ ଡାଲମାରେ ହଳଦିର ବ୍ୟବହାର ବିଲକୁଲ ବି କରାଯିବନାହିଁ । ଡାଲି ଏବଂ ପରିବା ଫୁଟିବା ଭିତରେ ଆପଣ ଏପଟେ ଜିରା ଏବଂ ଲଙ୍କାଗୁଣ୍ଡ ଭାଜି ଗୁଣ୍ଡ କରିଦିଅନ୍ତୁ । ପରିବା ଏବଂ ଡାଲି ସାମାନ୍ୟ ସିଝି ଗଲା ପରେ ଏଥିରେ କାଟି ରଖିଥିବା ଅଉ ପକାଇ ଗୋଳାନ୍ତୁ ।
ଏହାପରେ ଅନ୍ୟ ଏକ ପ୍ୟାନରେ ଫୁଟଣ ଏବଂ ଶୁଖିଲା ଲଙ୍କାକୁ ଭାଜି ଦିଅନ୍ତୁ, ଫୁଟଣ ଫୁଟିଗଲା ପରେ ସେଥିରେ ଘିଅ ପକାନ୍ତୁ । ଏବେ ଏହି ଛୁଙ୍କକୁ ଡାଲିରେ ନେଇ ପକାନ୍ତୁ । ଏହାକୁ ପକାଇବା ତୁରନ୍ତ ପରେ ଢ଼ାଙ୍କୁଣୀ ଦେଇ ଦିଅନ୍ତୁ । ଗୋଟେ ମିନିଟ ପରେ ଢ଼ାଙ୍କୁଣୀ ଖୋଲି ଗୋଳାନ୍ତୁ । ଏହାପରେ ନଡିଆ କୋରା ପକାଇ ଚଲାନ୍ତୁ । ଏହାପରେ ଏଥିରେ ଭଜା ଜିରା ଲଙ୍କା ଗୁଣ୍ଡକୁ ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ହବିଷ ଡାଲମା ।
Powered by Froala Editor