ଟଙ୍କା ନସୁଝିପାରିବାରୁ ୧୬ ଦଳିତଙ୍କୁ ନିର୍ଯାତନା, ମା’ ପେଟରେ ମରିଗଲା ଶିଶୁ

କରଜ ନସୁଝିପାରବାରୁ ବିଜେପିର ଜଣେ ଦୃଢ଼ ସମର୍ଥକ ଗୋଟିଏ ଘରେ ୧୬ ଜଣ ଦଳିତ ବର୍ଗର ଲୋକଙ୍କୁ ବନ୍ଦ କରି ରଖି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚିକ୍କାମଗାଲୁରୁ ଅଞ୍ଚଳରେ । ଜଗଦେଶ ଗୌଡ଼ ନାମକ ଜଣେ ବିଜେପି ସମର୍ଥକ ଏପରି କାଣ୍ଡ ଘଟାଇଛି । ବନ୍ଦ ହୋଇ ରହିବା ଫଳରେ ଜଣେ ଗର୍ଭବତୀଙ୍କ ପେଟରେ ହିଁ ଶିଶୁଟି ମରି ଯାଇଛି ।
ସୂଚନା ମୁତାବକ ନିର୍ଯାତିତମାନେ ଜଣେ ଜଣେ ଦିନ ମଜୁରିଆ । ସେମାନେ କଫି କ୍ଷେତରେ କାମ କରିଥାନ୍ତି । ସେମାନେ କ୍ଷେତ ମାଲିକ ଜଗଦେଶ ଠାରୁ ୯ ଲକ୍ଷ ଟଙ୍କା କରଜ ନେଇଥିଲେ । ହେଲେ ସେମାନେ ଟଙ୍କା ନଫେରାଇବାରୁ ସେମାନଙ୍କୁ ବନ୍ଦ କରିଦେଇଥିଲା ମାଲିକ । ଅକ୍ଟୋବର ୮ରେ କିଛି ନିର୍ଯ୍ୟାତିତ ପୋଲିସ୍ ଥାନାକୁ ଆସି ଜଗଦେଶ ନାମରେ ଏଫ୍ଆଇଆର୍ ଦେଇଥିଲେ । ହେଲେ ତା ପରଦିନ ସେମାନେ ଏଫ୍ଆଇଆର୍ ଉଠାଇ ନେଇଥିବା ପୋଲିସ୍ ଅଧିକାରୀଙ୍କ ପକ୍ଷରୁ ଜଣାପଡ଼ିଛି ।
ପୀଡ଼ିତମାନେ କହିଛନ୍ତି ଯେ ସେମାନଙ୍କୁ ବନ୍ଦୀ କରି ମାଡ଼ ମରାଯାଉଥିଲା। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିଲେ। ମାଡ଼ ଓ ନିର୍ଯାତନା ଯୋଗୁ ସେ ନିଜର ସନ୍ତାନକୁ ହରାଇଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ମାମଲା ରୁଜୁ କରିଛି ଓ ସମସ୍ତଙ୍କୁ ଉଦ୍ଧାର କରିଛି। ସେହିପରି ଗର୍ଭବତୀଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ୍ କହିଛି ଯେ ଜଗଦୀଶ ଗୌଡ଼ା ଓ ତାଙ୍କ ପୁଅ ତିଲକ ଗୌଡ଼ାଙ୍କ ନାଁରେ ମାମଲା ରୁଜୁ ହୋଇଛି। ତେବେ ସେମାନେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।
Powered by Froala Editor