କୁମାରପୂର୍ଣ୍ଣିମାରେ ମା’ ସମଲେଇଙ୍କ ରାଜରାଜେଶ୍ୱରୀ ବେଶ

କୁମାରପୂର୍ଣ୍ଣିମାରେ ମା' ସମଲେଇ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଛନ୍ତି। ବହୁ ଶ୍ରଦ୍ଧାଳୁ ମା’ଙ୍କ ଏହି ବେଶକୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି । ଅପରାହ୍ନ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ପୂଜକମାନେ ଦେବୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରିଥିଲେ। ମା' ସମଲେଇ ସମ୍ବଲପୁରୀ ପାଟବସ୍ତ୍ର, ସୁନାର ପଦ୍ମମୁଖ, କର୍ଣ୍ଣାଞ୍ଚଳ, ଢ଼ାଲ, କଙ୍କଣ, ମୁକୁଟ, ଲଲାଟପଟ୍ଟି, ବେଲପତ୍ରି, ନଥ, ଡଡିଁ, ଅର୍ଦ୍ଧଚନ୍ଦ୍ର, କିଆପତରି, ସୁନା ଛତ୍ର, ରୂପାର ସିଂକଟା, କିରଟିରେ ଆଭୁଷିତ ହୋଇଥିଲେ । ଅପରାହ୍ନ ସାଢ଼େ ୪ଟାରେ ଆଳତୀ ହେବା ସହ ଭକ୍ତମାନେ ମନଲୋଭା ରାଜରାଜେଶ୍ୱରୀ ବେଶ ଦର୍ଶନ କରିଥିଲେ । ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ପଞ୍ଚବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ସମଲେଇଙ୍କୁ ମୁଣ୍ଡିଆ ମାରି ସହସ୍ରାଧିକ ଭକ୍ତ ଦେବୀଙ୍କୁ ଆରାଧନା କରିଥିଲେ ।
Powered by Froala Editor